ନୂଆଦିଲ୍ଲୀ : ଦେଶରେ କୋଟି କୋଟି ଟଙ୍କା ରଖି ଅଡ଼ୁଆରେ ଛନ୍ଦି ହୋଇଛନ୍ତି ଅନୀଲ ଅମ୍ବାନୀ । ଆୟକର ବିଭାଗର ମୁମ୍ବାଇ ଶାଖା ରିଲାଏନ୍ସ ଗ୍ରୁପର ଅଧ୍ୟକ୍ଷ ଆନୀଲଙ୍କ ବିରୋଧରେ ଯାଞ୍ଚ କରିବା ସହ ୨୦୧୬ କଳାଧନ ଅଧିନିୟମ ଆଧାରରେ ଏକ ନିର୍ଦ୍ଦେଶନାମା ପାରିତ କରିଛି । ପୂର୍ବରୁ ମଧ୍ୟ ଏ ମାମଲାରେ ତଦନ୍ତକାରୀ ଟିମ୍ ଅନୀଲଙ୍କୁ ନୋଟିସ ଜାରି କରିଥିଲେ । ହେଲେ ସେ ଏହାର କୌଣସି ଜବାବ ଦେଇନଥିଲେ । ଫଳରେ ଆୟକର ବିଭାଗ ପକ୍ଷରୁ ଆହୁରି କଡା ପଦକ୍ଷେପ ନିଆଯାଇଛି ।
ଆନୀଲଙ୍କ ବିରୋଧରେ ୮୦୦ କୋଟି ଟଙ୍କାର ଅଘୋଷିତ ବିଦେଶୀ ସମ୍ପତି ଓ ନିବେଶ ଥିବା ଅଭିଯୋଗ ଲାଗିଛି । ଇଣ୍ଡିଆନ ଏକ୍ସପ୍ରେସର ରିପୋର୍ଚ ଅନୁସାରେ, ପୂର୍ବରୁ ତଦନ୍ତକାରୀ ଟିମ୍ ୮୦୦ କୋଟିର ଅଘୋଷିତ ସମ୍ପତ୍ତି ନେଇ ଅନୀଲଙ୍କୁ ଜବାବ ତଲବ କରିଥିଲେ । ହେଲେ ସେ ଏହାର କୌଣସି ଉତ୍ତର ରଖିନଥିଲେ । ତାଙ୍କୁ ୨୦୧୯ରେ ଏନେଇ ପ୍ରଥମେ ନୋଟିସ ପଠାଯାଇଥିଲା । ଯେଉଁଥିରେ ୮୦୦ କୋଟିରୁ ଅଧିକ ମୂଲ୍ୟର ସମ୍ପତ୍ତି ବାବଦରେ ସବିଶେଷ ତଥ୍ୟ ଥିଲା ।
କୁହାଯାଉଛି ଯେ, ତଦନ୍ତକାରୀ ଟିମ୍ ଯେଉଁ ସବୁ ସମ୍ପତ୍ତି ବାବଦରେ ଦର୍ଶାଇଛି ତାହା ବାହମାସ ଓ ବ୍ରିଟେନର ଭର୍ଜିନ ଆଇଲାଣ୍ଡରେ ରହିଛି । ଏହା ଅନୀଲଙ୍କ ମାଲିକାନାରେ ଥିବା ଥିବା ଦୁଇଟି କମ୍ପାନୀ ନାଁରେ ରହିଛି । ଏହି ଦୁଇ କମ୍ପାନୀ ହେଲା ଡ୍ରିମଓ୍ୱାର୍କ ହୋଲ୍ଡିଂ ଆଇଏନସି ଓ ନର୍ଥ ଆଟାଲାଣ୍ଟିକ୍ ଟ୍ରେଡିଂ ଅନଲିମିଟେଡ୍ । ୨୦୧୫ରେ ସ୍ୱିସ୍ ଲିକ୍ସରେ ଏ କମ୍ପାନୀ ବାବଦରେ ପ୍ରଥମେ ତଥ୍ୟ ସାମ୍ନାକୁ ଆସିଥିଲା । ଅନୀଲ ସେହି ୧୦୦୦ ଭାରତୀୟଙ୍କ ମଧ୍ୟରେ ଥିଲେ ଯେଉଁମାନଙ୍କର ଏଚଏସବିସିର ଜେନେଭା ବ୍ରାଞ୍ଚରେ ଆକାଉଣ୍ଟ ଥିଲା । ୨୦୦୬-୦୭ରେ ଏହି ଖାତାରେ ୨ ଅରବରୁ ଅଧିକ ଟଙ୍କା ଥିଲା ।
ଏସବୁକୁ ଭିତ୍ତି କରି ଅନୀଲଙ୍କ ବିରୋଧରେ ସେକ୍ସନ ୧୦(୩) କଳାଧନ ଆକ୍ଟ ଅନୁସାରେ ନିର୍ଦ୍ଦେଶନାମା ପାରିତ ହୋଇଛି । ସମସ୍ତ ଆକାଉଣ୍ଟ, କାଗଜପତ୍ର ଓ ପ୍ରମାଣ ଅଧାରରେ ଆୟକର ବିଭାଗର ତଦନ୍ତକାରୀ ଟିମର ମୁମ୍ବାଇ ଶାଖା ଏହି ପଦକ୍ଷେପ ଗ୍ରହଣ କରିଛି ।





