ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଉତ୍ତରପ୍ରଦେଶର ଲକ୍ଷ୍ନୌ ଏବଂ ଉନ୍ନାଓ ସମେତ ଛଅଟି କାର୍ୟ୍ୟାଳୟକୁ ବିସ୍ଫୋରଣ କରିବାକୁ ଧମକ ଦେଇଥିବା ଅଭିଯୁକ୍ତକୁ ଗିରଫ କରାଯାଇଛି। ତାମିଲନାଡୁ ପୋଲିସ ତାଙ୍କୁ ପୁଡୁକୋଟାଇରୁ ଅଟକ ରଖିଛି। ଅଭିଯୁକ୍ତଙ୍କ ନାମ ରାଜ ମହମ୍ମଦ ବୋଲି ପୋଲିସ କହିଛି। ଅଭିଯୁକ୍ତକୁ ପଚରାଉଚୁରା କରାଯାଉଥିବାବେଳେ ୟୁପି ଏଟିଏସର ଦଳ ତାମିଲନାଡୁରେ ମଧ୍ୟ ପହଞ୍ଚିଛି। ସେପଟେ ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌର ଆଲିଗଞ୍ଜରେ ଆରଏସଏସ କାର୍ୟ୍ୟାଳୟକୁ ବିସ୍ଫୋରଣ କରିବାର ଆଶଙ୍କା ରହିଥିଲା।
ଏନେଇ ଏକ ଧମକପୂର୍ଣ୍ଣ ମେସେଜ ସଂଘ ସହ ଜଡିତ ଥିବା ଡକ୍ଟର ନୀଳକାନ୍ତ ମଣି ପୂଜାରୀଙ୍କ ହ୍ୱାଟ୍ସଆପକୁ ଆସିଥିଲା । ତିନୋଟି ଭାଷାରେ ଏହି ଧମକପୂର୍ଣ୍ଣ ମେସେଜ ପଠାଯାଇଥିଲା । ତେବେ ଲକ୍ଷ୍ନୌ, ନବାବଗଞ୍ଜ ବ୍ୟତୀତ କଣ୍ଣାଟକର ଚାରୋଟି ସ୍ଥାନରେ ବିସ୍ଫୋରଣ କରିବାର ଧମକ ଦେଇଥିଲେ । ଏହା ପରେ ଡକ୍ଟର ନୀଳକାନ୍ତ ଥାନାରେ ଏକ ମାମଲା ଦାୟର କରିଥିଲେ।





