ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବିଜେପିର ନିଲମ୍ବିତ ମୁଖପାତ୍ର ନୁପୁର ଶର୍ମାଙ୍କ ଦିନକୁ ଦିନ ଅଡ଼ୁଆ ବଢ଼ିବାରେ ଲାଗିଛି । ଏହା ମଧ୍ୟରେ ନୁପୁର ଶର୍ମାଙ୍କୁ ଜୁନ ୨୨ରେ ହାଜର ହେବାକୁ ସମନ ଜାରି କରିଛି ମୁମ୍ବାଇ ପୁଲିସ । ସେପଟେ ଏହି ମାମଲାରେ ଦକ୍ଷିଣ ମୁମ୍ବାଇର ପିଧୋନି ପୁଲିସ ରଜା ଏକାଡେମୀର ମୁମ୍ବାଇ ୱିଙ୍ଗର ଯୁଗ୍ମ ସଚିବ ଇରଫାନ ଶେଖଙ୍କ ଦ୍ୱାରା ଦାଖଲ ହୋଇଥିବା ଅଭିଯୋଗ ଆଧାରରେ ନୂପୁର ଶର୍ମାଙ୍କ ବିରୋଧରେ ଏକ ମାମଲା ରୁଜୁ କରିଥିଲା। ଶେଖ ତାଙ୍କ ଅଭିଯୋଗରେ ଅଭିଯୋଗ କରଥିଲେ ଯେ ସେ ଏକ ଟ୍ଵିିଟର ଲିଙ୍କ୍ ସହିତ ଏକ ବାର୍ତ୍ତା ପାଇଛନ୍ତି ଯେଉଁଥିରେ ଏକ ଟେଲିଭିଜନ୍ ବିତର୍କର ଭିଡିଓ କ୍ଲିପ୍ ରହିଛି।
ଉକ୍ତ ଭିଡିଓ କ୍ଲିପ୍ରେ ନୂପୁର ଶର୍ମା ମହାପୁରୁଷ ମହମ୍ମଦ ଏବଂ ତାଙ୍କ ପତ୍ନୀ ଆୟେଶାଙ୍କ ବିରୋଧରେ କିଛି ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି; ଯେଉଁମାନେକି ମୁସଲମାନମାନଙ୍କ ଆରାଧ୍ୟ ରୂପେ ପୂଜା ପାଆନ୍ତି। ବିଜେପିର ପ୍ରବକ୍ତା ଥିବା ନୁପୂର ଶର୍ମାଙ୍କ ଏହି ବୟାନକୁ କେନ୍ଦ୍ରକରି ବିବାଦ ସୃଷ୍ଟି ହୋଇଥିଲା। ଅନ୍ୟପଟେ ଇରାନ, କୁଏତ, କାତାର ଏବଂ ପାକିସ୍ତାନ ସମେତ ଅନେକ ଦେଶ ବିଜେପି ନେତାଙ୍କ ଏହି ବିବାଦୀୟ ତଥା ଅଶାଳୀନ ମନ୍ତବ୍ୟକୁ ତୀବ୍ର ନିନ୍ଦା କରିଛନ୍ତି।





