ପ୍ୟାରିସ୍‌: ଗୋଟିଏ ଦିନରେ ଫସି ଝୁଲିଲେ ୧୨ ଜଣ | ଜଣେ ମହିଳାଙ୍କ ସମେତ ୧୨ ଜଣଙ୍କୁ ଫସି ଦଣ୍ଡ ମିଳିଛି | ସୋମବାର ଦିନ ସିସ୍ତାନ-ବାଲୁଚିସ୍ତାନ ପ୍ରଦେଶର ଦକ୍ଷିଣପୂର୍ବସ୍ଥିତ ଜାହେଦାନ୍‌ କାରାଗାରରେ ଜଣେ ମହିଳାଙ୍କ ସମେତ ୧୨ଜଣ ବାଲୁଚିବାସୀଙ୍କୁ ଇରାନ୍‌ ଫାଶୀ ଦେଇଥିବା କଥା ନର୍‌ୱେରେ ଥିବା ‘ଇରାନ୍‌ ମାନବ ଅଧିକାର’ ନାମକ ସଂଗଠନ ମଙ୍ଗଳବାର ଦିନ କହିଛି।

ଫାଶୀ ପାଇଥିବା ୧୨ଜଣଙ୍କୁ ଡ୍ରଗ୍‌ ସଂକ୍ରାନ୍ତ ଅଥବା ନରହତ୍ୟା ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୬ଜଣ ନରହତ୍ୟା ଏବଂ ୬ଜଣଙ୍କୁ ଡ୍ରଗ୍‌ ବିଜଡ଼ିତ ମାମଲା ପାଇଁ ଫାଶୀ ଦିଆଯାଇଛି। କିନ୍ତୁ, ଏ ସଂକ୍ରାନ୍ତରେ ଇରାନ୍‌ର କୌଣସି ଗଣମାଧ୍ୟମ ରିପୋର୍ଟ କରିନାହାନ୍ତି କିଂବା ସରକାରୀ ଅଧିକାରୀ ସୁନିଶ୍ଚିତ କରି କହିନାହାନ୍ତି। ସେମାନେ ସଭିଏଁ ବାଲୁଚି ଜନଜାତି ସଂଖ୍ୟାଲଘୁ ସମ୍ପ୍ରଦାୟର ସଦସ୍ୟ ଥିଲେ।

ଫାଶୀ ପାଇଥିବା ମହିଳାଜଣକ ହେଉଛନ୍ତି ଗାର୍ଗିଜ୍‌ (କେବଳ ସାଙ୍ଗ୍ୟା) ନିଜ ସ୍ବାମୀଙ୍କୁ ହତ୍ୟା କରିଥିବା ଅଭିଯୋଗରେ ୨୦୧୯ରେ ଗିରଫ କରାଯାଇଥିଲା ବୋଲି ଉକ୍ତ ‘ଏନ୍‌ଜିଓ’ କହିଛି।

ଦେଶରେ ବେଆଇନ୍‌ ଘୋଷିତ ‘ନ୍ୟାସ୍‌ନାଲ୍‌ କାଉନ୍‌ସିଲ୍‌ ଅଫ୍ ରେଜିଷ୍ଟାନ୍‌ସ୍‌ ଅଫ୍‌ ଇରାନ୍‌’ ମଧ୍ୟ କହିଛି ଯେ, ସୋମବାର ଦିନ ଜାହେଦାନରେ ୧୨ଜଣଙ୍କୁ ଫାଶୀ ଦିଆଯାଇଛି।

‘ଆଇଏଚ୍‌ଆର୍‌’ କହିବା ଅନୁସାରେ, ୨୦୨୧ରେ ଅନ୍ୟୂନ ୩୩୩ଜଣ ଲୋକଙ୍କୁ ଫାଶୀ ଦିଆ ଯାଇଛି। ୨୦୨୦ ତୁଳନାରେ ୨୦୨୧ର ଫାଶୀ ସଂଖ୍ୟା ୨୫% ଅଧିକ।

ଦେଶବ୍ୟାପୀ ପ୍ରତିବାଦ ଚାଲିଥିବା ବେଳେ ବିଭିନ୍ନ ସହରରେ ଅନ୍ୟୂନ ୨୬ଜଣ କଏଦୀଙ୍କୁ ଇରାନ୍‌ ବିଚାର ବିଭାଗ ଫାଶୀ ଦେଇଛି ବୋଲି ମଧ୍ୟ ବିଳମ୍ବିତ ମେ ମାସରେ ‘ଇରାନ୍‌ ମାନବ ଅଧିକାର’ କହିଥିଲା।

ମୃତ୍ୟୁଦଣ୍ଡକୁ ଉଚ୍ଛେଦ କରିବା ଲାଗି ଆହ୍ବାନ ଦେଇ ‘ଇରାନ୍‌ ମାନବ ଅଧିକାର’ର ନିର୍ଦେଶକ ମହମ୍ମଦ୍‌ ଆମିର୍‌-ମୋଗାଦ୍ଦମ କହିଛନ୍ତି, ଫାଶୀ ପାଇଥିବା ଅଧିକାଂଶ କଏଦୀ ନରହତ୍ୟା ଏବଂ ଡ୍ରଗ୍‌ ମାମଲା ଭଳି ମାମଲାରେ ସମ୍ପୃକ୍ତ ଥିବା ବେଳେ ସରାକରୀ କର୍ତ୍ତୃପକ୍ଷ ରାଜନୈତିକ ଉଦ୍ଦେଶ୍ୟ ରଖି ସେମାନଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି। ମତଭେଦ ଦବାଇବା ଉଦ୍ଦେଶ୍ୟରେ ସେମାନଙ୍କୁ ଫାଶୀ ଦିଆଯାଇଛି।