ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ୧୯ରୁ ଗଡ଼ିବନି ଆଉ ଟୁରିଷ୍ଟ ବସ । ତେବେ ଟୁରିଷ୍ଟ ବସ୍ ମାଲିକମାନେ ଉଚିତ୍ କାମ ପାଇଁ ଉଚିତ୍ ବେତନ କିମ୍ବା ଅନ୍ୟାନ୍ୟ ସୁବିଧା ଦେଉନଥିବାରୁ ଆସନ୍ତା ୧୯ ତାରିଖଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଷ୍ଟିୟରିଂ ବନ୍ଦ ଡାକରା ଦେଇଛନ୍ତି ନୀଳଗିରି ମୋଟର କର୍ମଚାରୀ ସଂଘ ଅନ୍ତର୍ଭୁକ୍ତ ଟୁରିଷ୍ଟ ବସ୍ର କର୍ମଚାରୀବୃନ୍ଦ। ସଂଘର ସମ୍ପାଦକ ଅଜୟ କୁମାର ମିଶ୍ର କହିଛନ୍ତି, ନୀଳଗିରି ମୋଟର କର୍ମଚାରୀ ସଂଘ ଜରିଆରେ ବାରମ୍ବାର ଦାବି ଉଠାଇବା ସତ୍ତ୍ବେ ଟୁରିଷ୍ଟ ବସ୍ ମାଲିକମାନେ ଆମ ଗୁହାରି ଶୁଣୁନାହାନ୍ତି। ତେଣୁ ବାଧ୍ୟ ହୋଇ ଆନ୍ଦୋଳନାତ୍ମକ ପନ୍ଥା ଆପଣାଇବାକୁ ନିଷ୍ପତ୍ତି ନେଇଛୁ। ତାଙ୍କ କହିବା ମୁତାବକ, ୨୦୧୨ ମସିହାରୁ ଦୈନିକ ମଜୁରି ପ୍ରତିବର୍ଷ ୫୦ ଟଙ୍କା ଲେଖାଏଁ ବଢ଼ିବ ବୋଲି ମାଲିକମାନେ ପ୍ରତିଶ୍ରୁତି ଦେଇଥିଲେ।

ମାତ୍ର ସେତକ ତ ହେଲା ନାହିଁ, ୧୨ ଘଣ୍ଟା କାମ କରୁଥିବା ସତ୍ତ୍ବେ ଆଜି ପର୍ୟ୍ୟନ୍ତ ମଜୁରି ବଢ଼ାଉନାହାନ୍ତି। ଓଭରଟାଇମ୍ କାମ କରୁଥିଲେ ମଧ୍ୟ ଆଜି ବି ହେଲ୍ପରମାନଙ୍କୁ ଦୈନିକ ମଜୁରି ୪୦୦ ଟଙ୍କା ମିଳୁଛି। ଗାଡ଼ି ଚାଳକମାନଙ୍କୁ ଦୈନିକ ୬୦୦ ଟଙ୍କା ମଜୁରି ମିଳୁଛି। ସବୁକିଛି ମହଙ୍ଗା ହେଉଥିଲେ ମଧ୍ୟ ଆମ ମଜୁରି ବଢ଼ୁନାହିଁ। ଅନ୍ୟପକ୍ଷରେ ଅଧିକାଂଶ ବସ୍ ମାଲିକ ଇପିଏଫ୍ ଓ ଇଏସ୍ଆଇ ସୁବିଧା ଦେଉନାହାନ୍ତି। ପରିଚୟ ପତ୍ର ମଧ୍ୟ ପ୍ରଦାନ କରୁନାହାନ୍ତି। ବାରମ୍ବାର ଦାବି ସତ୍ତ୍ବେ କେହି କର୍ଣ୍ଣପାତ କରୁନଥିବାରୁ ସଂଘ ନେତୃତ୍ବରେ ଜୁନ୍ ୧୯ ତାରିଖରୁ ଆନ୍ଦୋଳନ କରିବୁ ବୋଲି ସେ କହିଛନ୍ତି।