ଏଣିକି ଭିଏତନାମର ସାମରିକ ଘାଟି ବ୍ୟବହାର କରିପାରିବ ଭାରତ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଏଣିକି ଭିଏତନାମର ସାମରିକ ଘାଟି ବ୍ୟବହାର କରିପାରିବ ଭାରତ । ଏନେଇ ଆଜି ଭାରତ ଭିଏତନାମ ସହିତ ଏକ ମିଲିଟାରୀ ଲଜିଷ୍ଟିକ୍ସ ସହାୟତା ଚୁକ୍ତି କରିଛି । ଏହି ଚୁକ୍ତି ଫଳରେ ଦୁଇ ଦେଶର ମିଲିଟାରୀ ପରସ୍ପରର ସାମରିକ ଘାଟି, ବନ୍ଦର ଆଦି ବ୍ୟବହାର କରିପାରିବେ, ଇନ୍ଧନ ଭରିପାରିବେ । ଭିଏତନାମ ଗସ୍ତରେ ଥିବା ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଉପସ୍ଥିତିରେ ଏହି ଚୁକ୍ତି ସ୍ବାକ୍ଷରିତ ହୋଇଛି । ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଭାରତ ପୂର୍ବରୁ କେତେକ ଦେଶଙ୍କ ସହ ଏହି ଚୁକ୍ତି କରିଥିବାବେଳେ ଭିଏତନାମ ପ୍ରଥମ ଥର ପାଇଁ ଏପରି ଚୁକ୍ତି କରିଛି । ଚୀନକୁ ଦୃଷ୍ଟିରେ ରଖି ଭାରତ ଜାପାନ, ଆମେରିକା, ଦକ୍ଷିଣ କୋରିଆ ସହ ମଧ୍ୟ ମିଲିଟାରି ଲଜିଷ୍ଟିକ୍ସ ଚୁକ୍ତି କରିଛି ।

ଭାରତ ପରି ଭିଏତନାମ ମଧ୍ୟ ଚୀନର ଆଧିପତ୍ୟକୁ ନେଇ ଚିନ୍ତିତ ରହିଛି । ଭିଏତନାମ ସହିତ ମଧ୍ୟ ଚୀନର ସୀମା ବିବାଦ ରହିଛି । ଭିଏତନାମର ଜଳସୀମାକୁ ଚୀନ ମାନ୍ୟତା ଦେଉନାହିଁ । ଏହା ଫଳରେ ଦୁଇ ଦେଶ ମଧ୍ୟରେ ବିବାଦ ଜାରି ରହିଛି । ଅନ୍ୟପକ୍ଷରେ ଶତ୍ରୁର ଶତ୍ରୁ ମିତ୍ର ନ୍ୟାୟରେ ଭାରତ ଭିଏତନାମ ସହିତ ସାମରିକ ସଂପର୍କ ବୃଦ୍ଧି କରିଚାଲିଛି । ଭିଏତନାମକୁ ଭାରତ ବ୍ରହ୍ମସ ସହିତ ବିଭିନ୍ନ ସାମରିକ ସାମଗ୍ରୀ ବିକ୍ରି କରୁଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts