ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ପାଇଁ ଆରମ୍ଭ ହୋଇଛି ନିର୍ବାଚନୀ ପ୍ରସ୍ତୁତି | ଏନେଇ ଆଜି ବାଜିବ ବିଗୁଲ । ଅପରାହ୍ନ ୩ଟାରେ ତାରିଖ ଘୋଷଣା କରିବେ ନିର୍ବାଚନ କମିଶନ । ଏନେଇ ବିଭିନ୍ନ ଜାତୀୟ ଗଣମାଧ୍ୟମ ସୂତ୍ରରୁ ଖବର ମିଳିଛି ।
ଜୁଲାଇ ୨୪ ତାରିଖ ପୂର୍ବରୁ ଦେଶର ନୂଆ ରାଷ୍ଟ୍ରପତିଙ୍କ ନିର୍ବାଚନ ହେବା ଦରକାର। କାରଣ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଜୁଲାଇ ୨୦୨୨ରେ ସମାପ୍ତ ହେଉଛି। ରାଷ୍ଟ୍ରପତିଙ୍କ ନିର୍ବାଚନ ପରୋକ୍ଷା ଭୋଟଦାନରେ ହୋଇଥାଏ। ଯେଉଁଥିରେ ନିର୍ବାଚକ ମଣ୍ଡଳ ହିଁ ଆଗାମୀ ରାଷ୍ଟ୍ରପତିଙ୍କୁ ନିର୍ବାଚିତ କରିଥାନ୍ତି। ରାଷ୍ଟ୍ରପତି ନିର୍ବାଚନରେ ନିର୍ବାଚକ ମଣ୍ଡଳୀ ସଂସଦର ଉଭୟ ସଦନ ସାଂସଦ ଓ ରାଜ୍ୟ ବିଧାନସଭା ବିଧାୟକଙ୍କ ଭୋଟରେ ହୋଇଥାଏ। ଏଥିରେ ବିଧାୟକଙ୍କ ଭୋଟ ଠାରୁ ସାଂସଦଙ୍କ ଭୋଟର ମୂଲ୍ୟ ଅଧିକ ମନେ କରାଯାଏ। ସେହି ଅନୁସାରେ ବିଧାୟକଙ୍କ ପ୍ରତି ଭୋଟର ମୂଲ୍ୟ କେତେ ସେହି ରାଜ୍ୟର ଜନସଂଖ୍ୟା( ୧୯୭୧ଜନଗଣନା) ଆଧାରରେ ନିର୍ଦ୍ଧାରଣ ହୋଇଥାଏ।
ତେବେ ପ୍ରତ୍ୟେକ ସାଂସଦଙ୍କ ଭୋଟ ମୂଲ୍ୟ ୭୦୮ ଗଣାଯାଏ। ଏହି ହିସାବରୁ ଦେଖିବାକୁ ଗଲେ ଉତ୍ତରପ୍ରଦେଶ ନବ ନିର୍ବାଚିତ ବିଧାୟକଙ୍କ ପଲା ଏବେ ଭାରି ରହୁଛି। ୨୦୧୭ ମସିହା ରାଷ୍ଟ୍ରପତି ନିର୍ବାଚନରେ ଯେତେବେଳେ ରାମନାଥ କୋବିନ୍ଦ ରାଷ୍ଟ୍ରପତି ନିର୍ବାଚିତ ହୋଇଥିଲେ ସେତେବେଳେ ଦେଶର ୨୧ ରାଜ୍ୟରେ ଏନଡିଏର ସରକାର ଥିଲା। ଏଣୁ ରାମନାଥ କୋବିନ୍ଦ ୬୫.୬୫ ପ୍ରତିଶତ ଭୋଟ ପାଇ ରାଷ୍ଟ୍ରପତି ଭବନ ପହଞ୍ଚିଥିବା ବେଳେ ତାଙ୍କ ସହ ପ୍ରତିଦ୍ୱନ୍ଦ୍ୱୀତା କରିଥିବା ମୀରା କୁମାରଙ୍କୁ ୩୪.୩୫ ପ୍ରତିଶତ ଭୋଟ ମିଳିପାରିଥିଲା।
୨୦୨୨ ରାଷ୍ଟ୍ରପତି ନିର୍ବାଚନରେ ମୋଟ ଭୋଟ ମୂଲ୍ୟ ପାଖାପାଖି ୧୦.୯ ଲକ୍ଷ ରହିବ। ଏଥିରେ ରାଜ୍ୟ ସଭାର ୨୩୪ ଓ ଲୋକସଭାର ୫୩୯ ସାଂସଦଙ୍କ ମଧ୍ୟରୁ ପ୍ରତ୍ୟେକ ସାଂସଦଙ୍କ ଭୋଟ ମୂଲ୍ୟ ଯଦି ୭୦୮ ହିସାବରେ ଗଣନା କରାଯାଏ ତ ମୋଟ ଭୋଟ ସଂଖ୍ୟା ୫,୪୭,୨୮୪ ହେବ। ଏହି ହିସାବରେ ଦେଖିବାକୁ ଗଲେ ଏନଡିଏ ହାତରେ ମୋଟ ୪୮.୯ ପ୍ରତିଶତ ନିର୍ବାଚନକ ମଣ୍ଡଳର ଯୋଗାଡ ହୋଇପାରୁଥିବା ବେଳେ ବିରୋଧୀଙ୍କ ୫୧.୧ ପ୍ରତିଶତ ନିର୍ବାଚକ ମଣ୍ଡଳ ରହୁଥିବାର ହିସାବ କହୁଛି। ଏହି ହିସାବରେ ଦେଖିଲେ ଏନଡିଏର ପଲା ୨.୨ପ୍ରତିଶତ ଅଙ୍କରେ ହାଲୁକା ରହୁଛି। ଏଣୁ ବିରୋଧୀଙ୍କ ସହମତିରେ ହୁଏତ ପ୍ରାର୍ଥୀ ଦେଇପାରନ୍ତି ନଚେତ ବିରୋଧୀଙ୍କ ପ୍ରାର୍ଥୀଙ୍କୁ ସମର୍ଥନ କରିପାରନ୍ତି।
ତେବେ କିଏ ଦେଶର ନୂଆ ରାଷ୍ଟ୍ରପତି ହେବ ସେନେଇ ଏବେ ଠୁ ଚର୍ଚା ଜୋର ଧରିଲାଣି |





