ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଯୋଜନା ମାଳମାଳ ହେଲେ ଏବେବି ଅନ୍ଧାରରେ ମୟୂରଭଞ୍ଜ ଜିଲ୍ଲାର ୧୩୫୦ ଗାଁ । ସେପଟେ କେହି ଅନ୍ଧାରରେ ରହିବେନି କହି ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଅନେକ ଯୋଜନା ପରେ ଯୋଜନା ଆଣିବାରେ ଲାଗିଛନ୍ତି । ଏପରିକି ସୌଭାଗ୍ୟ ପରେ ବର୍ତ୍ତମାନ ସୌଭାଗ୍ୟ ଯୋଜନା-୨ ଚାଲିଛି । ଏଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ଡିଣ୍ଡିମ ପିଟୁଛନ୍ତି। ହେଲେ ରାଜ୍ୟର ସର୍ବବୃହତ୍ ଜିଲ୍ଲା ମୟୂରଭଞ୍ଜ ଜିଲ୍ଲାରେ ୧ ହଜାର ୩୫୦ଗାଁ ଏବେ ବି ଅନ୍ଧାରରେ ରହିଛି। ଦେଶ ସ୍ବାଧୀନ ହେବାର ୭୫ ବର୍ଷ ପରେ ଏସବୁ ଗାଁରେ ବିଜୁଳି ଆଲୁଅ ସ୍ବପ୍ନ ପାଲଟିଛି। ସେପଟେ ଏହା ପଛରେ ଇଚ୍ଛାଶକ୍ତିର ଅଭାବ ହେଉ କି ପ୍ରଶାସନିକ କଳର ଅପାରଗତା କିମ୍ବା ଅଧିକ ଖର୍ଚ୍ଚ ଭୟ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ମୟୂରଭଞ୍ଜରେ ମୋଟ୍ ୩ ହଜାର ୯୬୬ ରାଜସ୍ବ ଗାଁ ରହିଛି। ରାଜସ୍ବ ଗାଁକୁ ବାଦ୍ ଦେଲେ ୫ ହଜାର ୩୫୨ଟି ପଡ଼ା ଗାଁ ରହିଛି। ଗତ ୫ ବର୍ଷ ମଧ୍ୟରେ ଏଥିରୁ ୪ ହଜାର ଗାଁରେ ବିଜୁଳି ଆଲୁଅ ପହଞ୍ଚିଛି। ତେବେ ୧ ହଜାର ୩୫୦ ପଡ଼ା ଗାଁ ଏବେ ବି ଅନ୍ଧାରରେ ରହିଛି। ଏସବୁ ଗାଁ ମଧ୍ୟରୁ ଅଧିକାଂଶ ଦୁର୍ଗମ ଅଞ୍ଚଳରେ ରହିଛି।
ଯେଉଁଠିକୁ ପାଦଚଲା ରାସ୍ତାଟିଏ ବି ନାହିଁ। ଆଉ କିଛି ଗାଁ ପାହାଡ଼ ଓ ଜଙ୍ଗଲ ମଧ୍ୟରେ ରହିଛି। ଏସବୁ ଗାଁକୁ ବିଦ୍ୟୁତ ସଂଯୋଗ ନିମନ୍ତେ ଉଦ୍ୟମ ହେଉନାହିଁ। ସୌଭାଗ୍ୟ ପରେ ଏବେ ସୌଭାଗ୍ୟ ଯୋଜନା-୨ ଚାଲିଛି। ତେବେ ଏହି ଯୋଜନାରେ ବି ଅନ୍ଧାରରେ ଥିବା ୧ ହଜାର ୩୫୦ ପଡ଼ା ଗାଁ ଅନ୍ତର୍ଭୁକ୍ତ ହୋଇନଥିବାରୁ ନିକଟ ଭବିଷ୍ୟତରେ ଏହି ଗ୍ରାମର ଲୋକେ ବିଜୁଳି ଆଲୁଅ ଦେଖି ପାରିବା ଭଳି ମନେ ହେଉନାହିଁ। ଜିଲ୍ଲା ବିଦ୍ୟୁତ କମିଟିର ସର୍ଭେ ରିପୋର୍ଟ ଅନୁଯାୟୀ କପ୍ତିପଦା, ବିଶୋଇ, ବାଙ୍ଗିରପୋଷି, ଜାମଦା, ଠାକୁରମୁଣ୍ଡା, ବିଜାତଳା, ଶୁଳିଆପଦା, ବହଳଦା, ଯଶିପୁର ଆଦି ବ୍ଲକ୍ରେ ସଂଖ୍ୟାଧିକ ଗାଁରେ ବିଜୁଳି ଆଲୁଅ ପହଞ୍ଚି ପାରିନାହିଁ। କପ୍ତିପଦା ଓ ବିଶୋଇ ବ୍ଲକ୍ରେ ଏହି ସଂଖ୍ୟା ସବୁଠାରୁ ଅଧିକ ରହିଛି। ନିର୍ବାଚନ ସମୟରେ ନେତାମାନେ ଗାଁରେ ବିଜୁଳି ଆଲୁଅ ଜଳିବ ବୋଲି ପ୍ରତିଶ୍ରୁତି ଦେଉଛନ୍ତି। ଗାଁ ଗସ୍ତ ସମୟରେ ପ୍ରଶାସନିକ ଅଧିକାରୀମାନେ ବି ଆଶ୍ବାସନା ଦେଇ ଆସୁଛନ୍ତି। ହେଲେ କିଛି ଫଳ ମିଳିପାରୁ ନାହିଁ । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।
