ଚଣ୍ଡିଗଡ଼: ସିଙ୍ଗର୍‌ରୁ କଂଗ୍ରେସ ନେତା ବନିଥିବା ସିଦ୍ଧୁ ମୁସେୱାଲାଙ୍କ ନିର୍ମମ ହତ୍ୟାକାଣ୍ଡ ଘଟଣାରେ ଆକ୍ସନ ମୂଡ଼ରେ ଥିବା ପୋଲିସ ଆଉ ଜଣଙ୍କୁ ଗିରଫ କରିଛି | ଘଟଣାର ଖିଅ ଖୋଜୁଥିବା ପୁଲିସ୍‌ ଏବେ ବାତିଣ୍ଡାରୁ ଆଉ ଜଣେ ଶାର୍ପ ଶୁଟରକୁ ଗିରଫ କରିଛି। ଗିରଫ ଯୁବକ ଜଣକ ହେଲା ହରକମଲ ରାନୁ। ପଞ୍ଜାବ ପୁଲିସ୍‌ ଗୁରୁବାର ବିଳମ୍ବିତ ରାତିରେ ତା’କୁ ଗିରଫ କରିବାରେ ସକ୍ଷମ ହୋଇଛି। ଏହାପୂର୍ବରୁ ପୁଲିସ୍‌ ଆଉ ଜଣେ ଶାର୍ପ ଶୁଟର କେଶବକୁ ମଧ୍ୟ ମୁସେୱାଲାଙ୍କ ହତ୍ୟାକାଣ୍ଡ ଘଟଣାରେ ଗିରଫ କରିଥିଲା।

ମେ’ ୨୯ରେ ମୁସେୱାଲାଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ୩୦ ରାଉଣ୍ଡ ଗୁଳି ଚଳାଇ ହତ୍ୟା କରାଯାଇଥିଲା। ଘଟଣା ପୂର୍ବରୁ ସନ୍ଦୀପ ସିଂହ ନିଜକୁ ମୁସେୱାଲାଙ୍କ ଫ୍ୟାନ କହି ତାଙ୍କ ସହ ଫଟୋ ଉଠାଇଥିଲା। ଏହି ସମୟରେ କେଶବ ମଧ୍ୟ ତା’ ସହିତ ରହିଥିଲା।

ମେ’ ୨୯ରେ ସନ୍ଦୀପ ହିଁ କେଶବକୁ ଧରି ମୁସେୱାଲାଙ୍କ ଘର ଓ ଆଖପାଖ ଅଞ୍ଚଳର ସ୍ଥିତିକୁ ଯାଞ୍ଚ କରିଥିଲା। ଏଥିପାଇଁ ପୁଲିସ୍‌ ସନ୍ଦୀପ ଓ କେଶବକୁ ଗିରଫ କରିଛି। ମୁସେୱାଲାଙ୍କ ହତ୍ୟାକାରୀମାନଙ୍କୁ କେଶବ ବନ୍ଧୁକ ଯୋଗାଇ ଥିଲା। କେଶବ ସହ ତା’ର ସହଯୋଗୀ ଚେତନକୁ ମଧ୍ୟ ପୁଲିସ୍‌ ଗିରଫ କରିଛି। ଏବେ ଘଟଣାର ଅଧିକ ଖୋଳତାଡ଼ କରାଯାଉଛି। କେଶବ ଓ ହରକମଲକୁ ପୁଲିସ୍‌ ରିମାଣ୍ତରେ ଆଣିବ ବୋଲି ଜଣାପଡ଼ିଛି |