ଭୁବନେଶ୍ଵର(ସତ୍ୟପାଠ ବ୍ୟୁରୋ): ପଶ୍ଚିମବଙ୍ଗରେ ବିଶ୍ୱ ବିଦ୍ୟାଳୟର କୁଳାଧିପତି ହେବେ ମମତା ବାନାର୍ଜୀ । ଅର୍ଥାତ ରାଜ୍ୟପାଳ ଜଗଦୀପ ଧନଖଡଙ୍କ ସ୍ଥାନରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟ ସଞ୍ଚାଳିତ ବିଶ୍ୱ ବିଦ୍ୟାଳୟର କୁଳାଧିପତି ହେବେ । ସେପଟେ ଏନେଇ ବିଧାନସଭାରେ ଆଗତ ବିଧେୟକ ଗୃହୀତ ହୋଇଛି । ବର୍ତ୍ତମାନ ରାଜ୍ୟପାଳ ଧନଖଡଙ୍କ ରାଜ୍ୟ ସଞ୍ଚାଳିତ ବିଶ୍ୱ ବିଦ୍ୟାଳୟଗୁଡିକରେ କୌଣସି ହସ୍ତକ୍ଷେପ ରହିବ ନାହିଁ । ମେ ୨୬ରେ କ୍ୟାବିନେଟ୍ ଏ ସଂପର୍କିତ ପ୍ରସ୍ତାବ ଉପରେ ମୋହର ମାରିଥିଲା । ଅନ୍ୟପଟେ ରାଜ୍ୟର ଶିକ୍ଷା ମନ୍ତ୍ରୀ ବ୍ରତ୍ୟ ବସୁ ବିଧାନସଭାରେ ବିଶ୍ୱ ବିଦ୍ୟାଳୟ ଆଇନ(ସଂଶୋଧିତ) ବିଧେୟକ ୨୦୨୨ ଉପସ୍ଥାପନ ହେବା ପରେ କହିଛନ୍ତି, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୁଳାଧିପତି ଭାବେ ପଦଭାର ସମ୍ଭାଳିବା କିଛି ଭୁଲ୍ ନୁହେଁ । ଯଦି ପ୍ରଧାନମନ୍ତ୍ରୀ ଗୋଟିଏ କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟ ବିଶ୍ୱ ଭାରତୀର କୁଳାଧିପତି ହୋଇ ପାରୁଛନ୍ତି ତେବେ ମୁଖ୍ୟମନ୍ତ୍ରୀ ରାଜ୍ୟ ବିଶ୍ୱ ବିଦ୍ୟାଳୟଗୁଡିକର କୁଳାଧିପତି କାହିଁକି ହୋଇ ପାରିବେ ନାହିଁ । ବର୍ତ୍ତମାନ ଯାଏଁ କୁଳାଧିପତି ଥିବା ରାଜ୍ୟପାଳ ଅନେକ ସମୟରେ ନିଜ ପ୍ରୋଟୋକଲର ଉଲ୍ଲଂଘନ କରିଥିବା ସେ କହିଛନ୍ତି। ସେପଟେ
୨୯୪ ସଦସ୍ୟ ବିଶିଷ୍ଟ ପଶ୍ଚିମବଙ୍ଗ ବିଧାନସଭାରେ ୧୮୨ ବିଧାୟକ ବିଧେୟକ ସପକ୍ଷରେ ମତଦାନ କରିଥିବା ବେଳେ ୪୦ ସଦସ୍ୟ ଏହା ବିରୋଧରେ ମତଦାନ କରିଛନ୍ତି । ଏହାର ବିରୋଧ କରି ବିରୋଧୀ ଦଳ ବିଜେପି କହିଛି ଯେ, ମୁଖ୍ୟମନ୍ତ୍ରୀଙ୍କୁ କୁଳାଧିପତି ଭାବେ ନିଯୁକ୍ତି କରିବାର ଅର୍ଥ ବର୍ତ୍ତମାନ ଶିକ୍ଷା ପ୍ରଣାଳୀରେ ସିଧାସଳଖ ରାଜନୈତିକ ହସ୍ତକ୍ଷେପ ରହିବ । ଏନେଇ ବିଜେପି ବିଧାୟକ ଅଗ୍ନିମିତ୍ର ପଲ୍ କହିଛନ୍ତି, ରାଜ୍ୟ ସରକାର ସବୁ କିଛି ନିୟନ୍ତ୍ରଣ କରିବାକୁ ଚାହୁଁଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ କୁଳାଧିପତି ଭାବେ ନିଯୁ୍କ୍ତ କରିବାର ନିର୍ଣ୍ଣୟ କେବଳ ରାଜ୍ୟର ଶିକ୍ଷା ପ୍ରଣାଳୀରେ କ୍ଷମତାସୀନ ଦଳର ସିଧାସଳଖ ହସ୍ତକ୍ଷେପକୁ ଆହୁରି ସୁବିଧାଜନକପାଇଁ ଉଦ୍ଦିଷ୍ଟ ।
ଏହି ବିଧେୟକ ଗୃହୀତ ହେବା ପୂର୍ବରୁ ନିକଟରେ ମନ୍ତ୍ରିମଣ୍ଡଳ ବୈଠକ ବସିଥିଲା । ଏଥିରେ ରାଜ୍ୟପାଳଙ୍କୁ ଘରୋଇ ବିଶ୍ୱ ବିଦ୍ୟାଳୟରେ ଭିଜିଟର ପଦରୁ ହଟାଇବାର ପ୍ରସ୍ତାବ ମଧ୍ୟ କ୍ୟାବିନେଟରୁ ମଞ୍ଜୁରୀ ମିଳିଥିଲା । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମହଲ ବେଶ୍ ଚଳଚଞ୍ଚଳ ହୋଇ ଉଠିଛି ।
