ଭୁବନେଶ୍ଵର(ସତ୍ୟପାଠ ବ୍ୟୁରୋ):ଓୱେସୀଙ୍କ ସମର୍ଥନରେ ବାହାରିଲେ ବିଜେପି ସାଂସଦ ବରୁଣ ଗାନ୍ଧୀ । ତେବେ ଉତ୍ତର ପ୍ରଦେଶ ପିଲିଭିତରୁ ବିଜେପି ଟିକେଟରୁ ସାଂସଦ ଜିତିଥିବା ବରୁଣ ଗାନ୍ଧୀ ଆଜି ଟ୍ୱିଟରରେ ଏଆଇଏମଆଇଏମର ମୁଖ୍ୟ ଅସଦୁଦ୍ଦିନ ଓୱେସୀଙ୍କୁ ପ୍ରଶଂସା କରିଛନ୍ତି । ଓୱେସୀଙ୍କ ଦ୍ୱାରା ସରକାରଙ୍କ ନିଯୁକ୍ତି ଡାଟା ସେୟାର କରାଯାଇଥିବାରୁ ତାଙ୍କୁ ଧନ୍ୟବାଦ ଦେଇଛନ୍ତି ଏହି ବିଜେପି ସାଂସଦ । କହିରଖୁ କି ଏକ ସଭାରେ ଓୱେସୀ କେନ୍ଦ୍ର ସରକାରଙ୍କ ନିଯୁକ୍ତି ଡାଟା ସେୟାର କରି କହିଥିଲେ କେନ୍ଦ୍ର ସରକାରଙ୍କ ଅଧିନରେ ଏବେ ୬୦ ଲକ୍ଷରୁ ଅଧିକ ସ୍ୱିକୃତିପ୍ରାପ୍ତ ପଦବୀ ଖାଲି ପଡିଛି ଓ ଦେଶର ବେରୋଜଗାର ସ୍ତର ୪୫ ବର୍ଷର ରେକର୍ଡ ଭାଙ୍ଗିଛି । ଏହି ସଭାରେ ଓୱେସୀ କହିଥିଲେ କି, ଏହି ଡାଟା ମୁଁ ନୁହେଁ ବରଂ ବିଜେପି ସାଂସଦ ବରୁଣ ଗାନ୍ଧୀଙ୍କ ଦ୍ୱାରା ପ୍ରଦାନ କରାଯାଇଛି ।

ସେପଟେ ଏହାକୁ ନେଇ ବିଜେପି ସାଂସଦ ବରୁଣ ଗାନ୍ଧୀ ନିଜ ଟ୍ୱିଟର ହ୍ୟାଣ୍ଡଲରେ ଏକ ଭିଡିଓ କ୍ଲିପ୍ ମଧ୍ୟ ସେୟାର କରିଛନ୍ତି । ସେ କହିଛନ୍ତି “ଏବେ ଦେଶରେ ବେରୋଜଗାର ହେଉଛି ଏକ ଜ୍ୱଳନ୍ତ ସମସ୍ୟା, ଏଣୁ ସାରା ଦେଶର ନେତା ସରକାରଙ୍କୁ ଏହା ଉପରେ ଧ୍ୟାନ ଆକର୍ଷଣ କରାଇବା ଆବଶ୍ୟକ, ବେରୋଜଗାର ଯୁବକଙ୍କୁ ନ୍ୟାୟ ମିଳିଲେ ଦେଶ ସଶକ୍ତ ହେବ” ଏହାସହ ସେ ତାଙ୍କ ଟ୍ୱିଟରରେ ଲେଖିଛନ୍ତି କି ‘ରୋଜଗାରକୁ ନେଇ ମୁଁ ଉଠାଇଥିବା ପ୍ରସଙ୍ଗକୁ ଓୱେସୀ ତାଙ୍କ ଭାଷଣରେ ସ୍ଥାନ ଦେଇଥିବାରୁ ତାଙ୍କୁ ଧନ୍ୟବାଦ ଜଣାଉଛି ବୋଲି କହିଛନ୍ତି । ଅନ୍ୟପଟେ କିଛିଦିନ ତଳେ ବରୁଣ ଗାନ୍ଧୀ ମନ୍ତ୍ରଣାଳୟ ଓ ଖାଲି ପଡିଥିବା ପଦବୀକୁ ନେଇ ଏକ ଗ୍ରାଫିକ୍ସ ଟ୍ୱିଟ କରିଥିଲେ । ଏଥିରେ ସେ ଲେଖିଥିଲେ କି ଯେତେବେଳେ ଦେଶର ବେରୋଜଗାରୀ ହାର ୩ ଦଶକର ରେକର୍ଡ ଭାଙ୍ଗିଛି ସେତେବେଳେ ସରକାରଙ୍କର ଏହି ରେକର୍ଡ ସମସ୍ତଙ୍କୁ ଚକିତ କରିଛି । ଏପଟେ ନିଯୁକ୍ତି ପାଇଁ କୋଟି କୋଟି ଯୁବକ ହତାଶ ହେଉଛନ୍ତି ଓ ସେପଟେ ସରକାର ଦପ୍ତରରେ ୬୦ ଲକ୍ଷ ପଦ ଖାଲି ପଡିଛି ।

ସରକାର ନିଯୁକ୍ତି ନାମରେ ଯେଉଁ ବଜେଟ ପ୍ରସ୍ତୁତ କରିଥିଲେ ତାହା କେଉଁଆଡେ ଗଲା ତାହା ଦେଶର ପ୍ରତିଟି ନାଗରିକ ଜାଣିବା ଦରକାର ବୋଲି ସେ କହିଥିଲେ । ଏ ଖବର ସାମ୍ନାକୁ ଆସିବା ରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର୍ ଧରିବାରେ ଲାଗିଛି ।