ଶ୍ରୀନଗର: ଜମ୍ମୁ କଶ୍ମୀରରେ ପୁଣି ଥରେ ସୁରକ୍ଷାବାହିନୀ କୁ ମିଳିଲା ସଫଳତା । ଆଜି ସକାଳେ ଶ୍ରୀନଗରର ବେମିନା ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାମୁହିଁ ହୋଇଥିବା ବେଳେ, ଏନ୍କାଉଣ୍ଟର ହୋଇଛି । ଫଳରେ ଏହି ଏନ୍କାଉଣ୍ଟରରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି। ଏଥିସହ ଜଣେ ପୁଲିସ ଅଧିକାରୀ ମଧ୍ୟ ଆହତ ହୋଇଛନ୍ତି।
ମୃତ ତିନି ଆତଙ୍କବାଦୀଙ୍କ ମଧ୍ୟରୁ ଦୁଇଜଣ ଲଶ୍କର-ଏ-ତୋଇବା ସଙ୍ଗଠନର ବୋଲି ଜଣାପଡିଛି। ଏମାନେ ଅମରନାଥ ଯାତ୍ରୀଙ୍କୁ ଟାର୍ଗେଟ କରିଥିଲେ।
କଶ୍ମୀର ଆଇଜିପିଙ୍କ କହିବା ମୁତାବକ, ମୃତ ତିନି ଆତଙ୍କବାଦୀଙ୍କ ମଧ୍ୟରୁ ଜଣଙ୍କ ନାଁ ଅବଦୁଲ୍ଲା ଗୁଜରୀ ବୋଲି ଜଣାପଡିଛି। ଏହି ଅବଦୁଲ୍ଲା ପାକିସ୍ତାନର ଫୈସଲାବାଦର ବାସିନ୍ଧା। ସେହିପରି ଆଉ ଜଣେ ସ୍ଥାନୀୟ ଆତଙ୍କୀ ପେହଲଗାଓଁର ଆଦିଲ ହୁସେନ ମିର୍ ବୋଲି ଚିହ୍ନଟ ହୋଇଛି। ସେ ୨୦୧୮ରୁ ପାକିସ୍ତାନରେ ରହୁଥିଲା। ଏମାନେ ଅମରନାଥ ଯାତ୍ରୀଙ୍କ ଉପରେ ଆକ୍ରମଣ କରିବା ନେଇ ଯୋଜନା ଚଲାଥିଲେ।
ଜମ୍ମୁ-କାଶ୍ମୀର ଆଇଜିପି ବିଜୟ କୁମାରଙ୍କ କହିବାନୁସାରେ, ଏହି ଆତଙ୍କବାଦୀ ଅମରନାଥ ଯାତ୍ରାରେ ଆକ୍ରମଣ ଉଦ୍ୟମ କରିଥାନ୍ତେ। କିନ୍ତୁ ତା’ପୂର୍ବରୁ ସେନା ଏମାନଙ୍କୁ ନିପାତ କରିଛି। ନିହତ ଆତଙ୍କବାଦୀଙ୍କଠାରୁ ଦୁଇ ଏକ୪୭ ରାଇଫଲ, ୧୦ ମାଗାଜିନ୍ ଓ ଗୁଳି ଜବତ ହୋଇଛ।
ସୂଚନାନୁସାରେ, ଦୁଇବର୍ଷ ଧରି କରୋନା ସଙ୍କଟ ପାଇଁ ଅମରନାଥ ଯାତ୍ରା ବନ୍ଦ ଥିଲା। ଏବେ ଜୁନ ୩ରୁ ଏହି ଯାତ୍ରା ପୁଣି ଆରମ୍ଭ ହୋଇଛି। ଯାତ୍ରା ଉପରେ ଆତଙ୍କବାଦୀଙ୍କ ନଜର ରହିଛି। ଭାରତୀୟ ସେନା ଓ ସୁରକ୍ଷା ଏଜେନ୍ସି, ଗୁଇନ୍ଦା ବିଭାଗ ମଧ୍ୟ ଆତଙ୍କବାଦୀଙ୍କୁ ନିପାତ କରିବାକୁ ଆଲର୍ଟ ମୋଡରେ ରହିଛି ।
