ପ୍ରାକ୍‌ ମୌସୁମୀ ବର୍ଷାରେ ବେହାଲ ରାଜସ୍ଥାନ, ଭାସିଗଲା କାର୍‌

ଜୟପୁର: ପ୍ରବଳ ଗରମ ଭିତରେ ଏବେ ପ୍ରାକ୍‌ ମୌସୁମୀ ବର୍ଷାର ଦେଖା ମିଳିଛି । ରାଜସ୍ଥାନ ରେ ସୋମବାର ପ୍ରାକ୍‌ ମୌସୁମୀ ବର୍ଷାରେ ଏଠାକାର ସ୍ଥିତି ବେହାଲ ହୋଇପଡିଛି। ପ୍ରାୟ ୬ ଘଣ୍ଟା ଧରି ବର୍ଷା ହେବା ଯୋଗୁ ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ଉପୁଜିଛି। ଏବେବି ଅନେକ ସ୍ଥାନରେ ପାଣି ଜମି ରହିଛି। ଦୋକାନଠୁ ଆରମ୍ଭ କରି ଘର ପର୍ଯ୍ୟନ୍ତ ସବୁଠି ପାଣି ପଶିଯାଇଛି । କିଛି ସ୍ଥାନରେ ଯୋଗାଯୋଗ ମଧ୍ୟ ବିଛିନ୍ନ ହୋଇଛି।

ସୋମବାର ସନ୍ଧ୍ୟା ୫ଟାରୁ ବର୍ଷା ଆରମ୍ଭ ହୋଇଥିଲା। ରାତି ୧୧ ଯାଏଁ ବର୍ଷିଥିଲା। ବାଡମେର ସହରରେ ଦୀର୍ଘ ୫ ଘଣ୍ଟା ଧରି ବିଦ୍ୟୁତ ସରବରାହ ବନ୍ଦ ରହିଥିଲା। ସହରର ସୀମାନ୍ତବର୍ତ୍ତୀ ଅଞ୍ଚଳରେ ବର୍ଷା ପାଇଁ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି।

ସହରର ବସ୍ତି ଅଞ୍ଚଳ ପାଣି ଘେରରେ ରହିଛି। ଏପରିକି ପ୍ରବଳ ବର୍ଷା ପାଇଁ କିଛି ସ୍ଥାନରେ କାର୍, ବାଇକ୍ ଆଦି ଅନେକ ଗାଡି ଭାସି ଯାଇଥିବା ଦେଖିବାକୁ ମିଳିଛି। ହାଥମା, ରାମସର ଆଦି ଗାଁ ବାହ୍ୟ ଜଗତରୁ ବିଛିନ୍ନ ହୋଇପଡିଛି।

ମୁସଲଧାରା ବର୍ଷ ଯୋଗୁଁ ବର୍ଷା ଡେପୁଟି ଅଫିସରେ ମଧ୍ୟ ୪ ଫୁଟ ଉଚ୍ଚର ପାଣି ଭର୍ତ୍ତି ହୋଇଯାଇଛି। ବିଭିନ୍ନ ନାଳ ନର୍ଦ୍ଦମାର ପାଣି ଓଭରଫ୍ଲୋ ହୋଇ ରାସ୍ତା ଉପରେ ଭାସୁଛି। ଏଥିଯୋଗୁ ପ୍ରଶାସନ ଜେସିବି ଲଗାଇ ପାଣି ବାହାର କରିବା ଜାରି ରହିଛି।

ପାଣିପାଗ ବିଭାଗ ପକ୍ଷରୁ ଜୈଶଲମେର, ବାଡମେର, ଭୀଲୱାଡା, ଶ୍ରୀଗଙ୍ଗାନଗର, ହନୁମାଗଡ, ଚିତୌଡଗଡ, ରାଜସମନ୍ଦ, ସିରୋହି, ଜାଲୌର, ଉଦୟପୁର, ପ୍ରତାପଗଡ, ବୁନ୍ଦି, କୋଟା, ବିକାନେର, ଅଜମେର ଆଦି ସ୍ଥାନରେ ବର୍ଷା ଓ ଘଡଘଡି ନେଇ ଆଲର୍ଟ ଜାରି କରାଯାଇଛି ।

Related Posts