କୋଲକାତା: ତୃଣମୂଳ କଂଗ୍ରେସ’ ସାଂସଦ ଅଭିଷେକ ବାନାର୍ଜୀଙ୍କ ଘରେ ପହଞ୍ଚିଛି ପ୍ରବର୍ତ୍ତନ ନିର୍ଦେଶାଳୟ । ପଶ୍ଚିମବଙ୍ଗରେ ହୋଇଥିବା କୋଇଲା ଦୁର୍ନୀତି ସହିତ ଜଡ଼ିତ ‘ମନି ଲଣ୍ଡ୍ରିଙ୍ଗ୍‌’ ମାମଲାରେ ଜେରା କରିବା ଲାଗି ଇଡି ପହଂଚିଛି । ସେଠାରେ ଇଡି ଅଭିଷେକ ବାନାର୍ଜୀଙ୍କ ପତ୍ନୀ ରୁଜିରା ବାନାର୍ଜୀଙ୍କୁ ପଚରାଉଚରା କରିବ ବୋଲି ସୂଚନା ରହିଛି। ‘ମନି ଲଣ୍ଡ୍ରିଙ୍ଗ୍‌’ ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ ଗତ ମାର୍ଚ ମାସରେ ସମନ୍‌ ପଠାଇଥିଲା।
ଗତ ବର୍ଷ ପ୍ରବର୍ତ୍ତନ ନିର୍ଦେଶାଳୟ କାର୍ଯ୍ୟାଳୟରେ ହାଜର ହେବା ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ତଥା ‘ତୃଣମୂଳ କଂଗ୍ରେସ’ର ଜାତୀୟ ସଚିବ ସାଂସଦ ଅଭିଷେକ ଏବଂ ତାଙ୍କ ପତ୍ନୀ ରୁଜିରାଙ୍କୁ ନିର୍ଦେଶ ଦିଆଯାଇଥିଲା।

ପୂର୍ବରୁ ସେପ୍ଟେମ୍ବର ୧୦ରେ ଉଭୟଙ୍କ ପ୍ରତି ଜାରି ହୋଇଥିବା ସମନ୍‌ ବିରୋଧରେ ମଧ୍ୟ ଅଦାଲତରେ ଆବେଦନ କରିଥିଲେ। ଆବେଦନରେ ସେମାନେ ଲେଖିଥିଲେ କି, ପଶ୍ଚିମବଙ୍ଗର ବାସିନ୍ଦା ହୋଇଥିବାରୁ ସେମାନଙ୍କୁ ଦିଲ୍ଲୀରେ ହାଜର ହେବାକୁ ସମନ୍‌ ଦିଆ ନ ଯାଉ। ଗତବର୍ଷ ସେପ୍ଟେମ୍ବର ମାସରେ ପ୍ରବର୍ତ୍ତନ ନିର୍ଦେଶାଳୟର ଦିଲ୍ଲୀ କାର୍ଯ୍ୟାଳୟରେ ବାନାର୍ଜୀଙ୍କୁ ଥରେ ମାତ୍ର ଜେରା କରାଯାଇଥିଲା।

ସୂଚନାଯୋଗ୍ୟ, ପଶ୍ଚିମବଙ୍ଗର କୁନୁସ୍ତୋରିଆ ଓ କାଜୋରା ଅଞ୍ଚଳ ଏବଂ ଆସାନସୋଲ୍‌ ଅଞ୍ଚଳରେ ଥିବା ‘ଇଷ୍ଟର୍ଣ୍ଣ କୋଲ୍‌ଫିଲଡ୍‌ସ୍‌ ଲିମିଟେଡ୍‌’ର ଖଣିରେ କୋଟି କୋଟି ଟଙ୍କାର ଦୁର୍ନିତି ହୋଇଥିବା ସଂକ୍ରାନ୍ତରେ ‘ସିବିଆଇ’ ଏତଲା ଦାଏର କରିଥିଲା ।