ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କିଛି ଦିନ ଧରି ସୋସିଆଲ ମିଡିଆରେ ଦକ୍ଷିଣ ଆଫ୍ରିକା ଓ ଭାରତ ମ୍ୟାଚର ପାସ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ମଧ୍ୟ ଜୋର ଧରିବାରେ ଲାଗିଛି । ଏହା ମଧ୍ୟରେ ଓସିଏ ସିଇଓ ସୁବ୍ରତ ବେହେରାଙ୍କ ବଡ଼ ବୟାନ ସାମ୍ନାକୁ ଆସିଛି । ତେବେ ସୋସିଆଲ ମିଡ଼ିଆରେ ଭାଇରାଲ୍ ହେଉଥିବା ପାସ୍ ଓ ପରିଚୟ ପତ୍ର ଓଡ଼ିଶା କ୍ରିକେଟ୍ ଆସୋସିଏସନ ପକ୍ଷରୁ ପ୍ରଦାନ କରାଯାଇ ନାହିଁ। କୌଣସି ରାଜନୈତିକ ଦଳ ବା ବିଧାୟକଙ୍କ କ୍ରୁ ନାଁରେ ପରିଚୟ ପତ୍ର ବା ପାସ୍ ପ୍ରଦାନ କରାଯିବାର କୌଣସି ବ୍ୟବସ୍ଥା ନାହିଁ ବୋଲି ଓସିଏର ସିଇଓ ସୁବ୍ରତ କୁମାର ବେହେରା କହିଛନ୍ତି ।

ଅନ୍ୟପଟେ ଭାରତ-ସାଉଥ୍ ଆଫ୍ରିକା ଟି-ଟ୍ବେଣ୍ଟି ମ୍ୟାଚ୍ ପାଇଁ ନକଲି ପାସ୍ ଓ ପରିଚୟ ପତ୍ର ପ୍ରସ୍ତୁତ କରାଯାଇଥିବା ଚର୍ଚ୍ଚା ଜୋର ଧରିଥିଲା। ଓସିଏକୁ ବଦନାମ କରିବା ପାଇଁ ମ୍ୟାଚ ପରେ ଏପରି ନକଲି ପାସ୍ ପ୍ରସ୍ତୁତ କରି ଭାଇରାଲ କରାଯାଉଛି ବୋଲି ଓସିଏ ପକ୍ଷରୁ କୁହାଯାଇଛି । କେତେ ପାସ୍ କାହାକୁ ଦିଆଯାଇଛି ସେ ନେଇ ତଥ୍ୟ ସାର୍ବଜନୀନ କରିବେ କି ନାହିଁ ଆଗକୁ ଚିନ୍ତା କରାଯିବ ବୋଲି ସେ କହିଛନ୍ତି । ଏ ଘଟଣା ସହିତ ଓସିଏର କିଛି ସମ୍ପର୍କ ନାହିଁ। ଘଟଣା ସମ୍ପର୍କରେ ଏପର୍ୟ୍ୟନ୍ତ କୌଣସି ଅଭିଯୋଗ କରିନାହାନ୍ତି ବୋଲି ସିଇଓ କହିଛନ୍ତି ।