ପୁଣେ: ପଞ୍ଜାବୀ ଗାୟକ ତଥା ରାଜନେତା ସିଦ୍ଧୁ ମୁସେୱାଲାଙ୍କ ହତ୍ୟାକାଣ୍ଡ ଘଟଣାରେ ସଂପ୍ରତି ଥିବା ନେଇ ପୋଲିସ ଅନେକ ଅଭିଯୁକ୍ତ ମାନଙ୍କୁ ଗିରଫ କରିଥିବା ବେଳେ, ଏବେ ଅନ୍ୟତମ ସନ୍ଦିଗ୍ଧ ମୁଖ୍ୟ ସୁଟର୍‌ ସନ୍ତୋଷ ଯାଦବଙ୍କ ପାଖରୁ ଅନେକ ବେଆଇନ ଅସ୍ତ୍ରଶସ୍ତ୍ର ଉଦ୍ଧାର କରାଯାଇଥିବା କଥା ପୁଣେ ପୁଲିସ କହିଛି।

ସନ୍ତୋଷ ଯାଦବଙ୍କଠାରୁ ସମୁଦାୟ ୧୩ଟି ପିସ୍ତଲ ଏବଂ ୮ଟି ମୋବାଇଲ୍‌ ଫୋନ୍‌ ଉଦ୍ଧାର କରାଯିବା ସହ ପୁଣେ ଗ୍ରାମୀଣ ପୁଲିସ ତାଙ୍କ ଗ୍ୟାଙ୍ଗ୍‌ର ପ୍ରାୟ ୭ଜଣ ସଦସ୍ୟଙ୍କୁ ଗିରଫ କରିଛି।

ସୂଚନାଯୋଗ୍ୟ, ମେ ୨୯ ତାରିଖ ଦିନ ଗାୟକ-ରାଜନେତା ସିଦ୍ଧୁ ମୁସେୱାଲାଙ୍କୁ ପଞ୍ଜାବର ମାନସା ଜିଲ୍ଲାରେ ଅଜ୍ଞାତ ଆତତାୟୀମାନେ ଗୁଳି ମାରି ହତ୍ୟା କରିଥିଲେ। ଯୋଗାଇ ଦିଆଯାଇଥିବା ନିରାପତ୍ତା ବ୍ୟବସ୍ଥାକୁ ରାଜ୍ୟ ସରକାର ପ୍ରତ୍ୟାହାର କରିବା ପରେ ସିଦ୍ଧୁ ମୁସେୱାଲାଙ୍କୁ ଗୁଳି ମାରି ହତ୍ୟା କରାଯାଇଥିଲା।

ତାଙ୍କୁ ଗୁଳି ମାରି ହତ୍ୟା କରିବା ନିମନ୍ତେ ରୁଷୀୟ ଆସଲ୍‌ଟ୍‌ ରାଇଫଲ୍‌ ‘ଏଏନ୍‌-୯୪’ ବ୍ୟବହାର କରାଯାଇଥିଲା। ପୁଣେ ପୁଲିସ ତଦନ୍ତ ତୀବ୍ରତର କରିବାର ୪ ଦିନ ପରେ ଅର୍ଥାତ୍‌ ଜୁନ୍‌ ୧୪ ତାରିଖ ଦିନ ଅଭିଯୁକ୍ତ ସାର୍ପସୁଟର୍‌ ସନ୍ତୋଷ ଯାଦବଙ୍କୁ ଗିରଫ କରାଯାଇଥିଲା। ଜଣେ ଗ୍ୟାଙ୍ଗ୍‌ଷ୍ଟର୍‌ଙ୍କର ହତ୍ୟା ସମେତ ସମ୍ପ୍ରତି ଯାଦବଙ୍କ ନାମରେ ୪ଟି ଅପରାଧିକ ମାମଲା ଚାଲିଛି। ସେ ତା’ର କାର୍ଯ୍ୟସ୍ଥଳୀ ପଞ୍ଜାବ ଓ ରାଜସ୍ଥାନକୁ ପରିବର୍ତ୍ତନ କରିଥିଲେ। ସେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଚାଳନା ତାଲିମ ଗ୍ରହଣ କରିଥିଲେ ବୋଲି ମଧ୍ୟ ସୂଚନା ମିଳିଛି ।