ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଷ୍ଟ୍ରପତି ନିର୍ବାଚନ ପାଇଁ ଶାସକ ଏବଂ ବିରୋଧୀ ଦଳ ଏପର୍ଯ୍ୟନ୍ତ ପ୍ରାର୍ଥୀ ଚୟନ କରି ନାହାନ୍ତି । ହେଲେ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ ଚୟନ ନିମନ୍ତେ ଆଜି ବିଜେପିର ସଂସଦୀୟ ବୋର୍ଡର ବୈଠକ ବସିବ ବୋଲି ସୂଚନା ମିଳିଛି । ସେପଟେ ନିର୍ବାଚନକୁ ତଦାରଖ କରିବା ପାଇଁ ବିଜେପି ଏକ ୧୪ ଜଣିଆ ପରିଚାଳନା ଦଳ ଗଠନ କରିସାରିଛି। କେନ୍ଦ୍ର ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖୱାଟ ଏହି ଦଳର ସଂଯୋଜକ ଅଟନ୍ତି । ଅନ୍ୟପଟେ ରାଷ୍ଟ୍ରପତି ଭୋଟ ପାଇଁ ପ୍ରାର୍ଥୀ ଉପରେ ସମସ୍ତ ରାଜନୈତିକ ଦଳ ସହ ଆଲୋଚନା କରିବାର ଦାୟିତ୍ୱ ଶ୍ରୀ ନଡ୍ଡା ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଦିଆଯାଇଛି। ଏନେଇ ସେମାନେ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ମୁଖ୍ୟ ଶରଦ ପାୱାର, ତୃଣମୂଳ କଂଗ୍ରେସ ସଭାପତି ତଥା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଜନତା ଦଳ (ୟୁନାଇଟେଡ) ନେତା ତଥା ବିହାର ସିଏମ ନୀତୀଶ କୁମାର, ବିଜୁ ଜନତା ଦଳ ସୁପ୍ରିମୋ ତଥା ଓଡିଶା ସିଏମ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିଛନ୍ତି।
ସେପଟେ ରାଷ୍ଟପ୍ରତି ନିର୍ବାଚନି ନାମାଙ୍କନ ଦାଖଲ ଜୁ୍ନ ୨୯ ଧାର୍ୟ୍ୟ ହୋଇଥିବା ବେଳେ ଜୁଲାଇ ୧୮ ତାରିଖରେ ରାଷ୍ଟ୍ରପତି ନିର୍ବାଚନ ହେବାର ଅଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହ ମନ୍ତ୍ରୀ ଅମିତ ଶାହ ବୈଠକରେ ଯୋଗଦବେ । ୭ ଜଣିଆ ଏହି ସଂସଦୀୟ ବୋର୍ଡରେ ମୋଦୀ ଓ ଶାହଙ୍କୁ ଛାଡି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା, ଦଳର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ବିଏଲ ସନ୍ତୋଷ ଏବଂ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଅଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।





