ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମହାରାଷ୍ଟ୍ର ସରକାର ବର୍ତ୍ତମାନ ବଡ଼ ରାଜନୈତିକ ସଙ୍କଟ ଦେଇ ଗତି କରୁଛି । କାହିଁକିନା ୨୨ ଜଣ ବିଧାୟକଙ୍କ ବିଦ୍ରୋହ କରିଥିବାର କଥା ସାମ୍ନାକୁ ଆସିଛି । ଏହା ମଧ୍ୟରେ ଏନସିପି ନେତା ଶରଦ ପାୱାରଙ୍କ ବଡ଼ ବୟାନ ସାମ୍ନାକୁ ଆସିଛି । ତେବେ ଶରଦ ପାୱାର କହିଛନ୍ତି ଯେ ଏହି ପରିସ୍ଥିତିରୁ ଆମେ ଏକ ଉପାୟ ବାହାର କରିବୁ। ଆଜି ରାତିରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହ ଆଲୋଚନା କରିବି । ଏହା ସହ ମହାରାଷ୍ଟ୍ରରେ ଉଦ୍ଧବ ଠାକରେ ସରକାର ଭଲ ଭାବେ ଚାଲିଛି। ସେ ଆହୁରି କହିଛନ୍ତି ଯେବେଠୁ ସରକାର ହୋଇଛି ଏପରି ସଙ୍କଟ ତୃତୀୟ ଥର ପାଇଁ ଉପୁଜିଛି। ଶରଦ ପାୱାର କହିଛନ୍ତି ‘‘ମହାରାଷ୍ଟ୍ରରେ ଆମ ସରକାର ଭଲ ଭାବେ ଚାଲିଛି। ଏବେ ଯାହାକିଛି ହୋଇଛି ଏହା ଗତ ଅଢେଇ ବର୍ଷ ମଧ୍ୟରେ ତୃତୀୟ ଥର ପାଇଁ ହୋଇଛି। ଏହା ପର୍ବରୁ ମଧ୍ୟ ଆମ ବିଧାୟକମାନଙ୍କୁ ଡାକି ହରିଆଣାରେ ରଖଯାଇଥିଲା। କିନ୍ତୁ ତାପରେ ମଧ୍ୟ ଆମେ ସରକାର ତିଆରି କରିଥିଲୁ ଓ ସରକାର ମଧ୍ୟ ଭଲ ଭାବେ ଚାଲିଛି’’।

ସେ କହିଛନ୍ତି ସରକାରଙ୍କୁ ହଟାଇବା ପାଇଁ ଏହା ହେଉଛି ତୃତୀୟ ପ୍ରୟାସ କିନ୍ତୁ ଏହା ବଞ୍ଚିବ ଏବଂ କାର୍ୟ୍ୟକାଳ ଶେଷ ହେବ। ମନ୍ତ୍ରୀ ତଥା ଶିବସେନା ନେତା ଏକନାଥ ସିନ୍ଦେ ଏବଂ ଆହୁରି ୨୧ ଜଣ ବିଧାୟକ ବିଜେପି ଶାସିତ ଗୁଜୁରାଟର ସୁରଟରେ ଥିବା ଏକ ହୋଟେଲକୁ ଯିବା ପରେ ଉଦ୍ଧବ ଠାକୁର ନେତୃତ୍ୱାଧୀନ ମହାରାଷ୍ଟ୍ର ମିଳିତ ମଞ୍ଚ ସଙ୍କଟ ମୋଡକୁ ଗଲା। ବିଦ୍ରୋହୀଙ୍କ ସହ ଆଲୋଚନା କରିବାକୁ ଇଚ୍ଛୁକ ନହୋଇଥିବାର ସଙ୍କେତ ଦେଇ ସେନା ଶ୍ରୀ ସିନେ୍ଦଙ୍କୁ ଏକ ଶୀର୍ଷ ପାର୍ଟୀ ପଦରୁ ବରଖାସ୍ତ କରିଛନ୍ତି। ରିପୋର୍ଟରେ ଦର୍ଶାଯାଇଛି ଯେ ଏକନାଥ ସିନ୍ଦେ କିଛି ସମୟ ପାଇଁ ଅଲଗା ହୋଇ ରହିଥିବାର ଅଭିଯୋଗ କରି ସରକାରରେ ଏକ ବଡ ପଦବୀ ଚାହୁଁଛନ୍ତି, ସମ୍ଭବତ ମୁଖ୍ୟମନ୍ତ୍ରୀ କିମ୍ବା ଉପମୁଖ୍ୟମନ୍ତ୍ରୀ। ଏକନାଥ ସିନ୍ଦେ ଆମକୁ କେବେ ଜଣାଇ ନାହାଁନ୍ତି ଯେ ସେ ମୁଖ୍ୟମନ୍ତ୍ରୀ ହେବାକୁ ଚାହାଁନ୍ତି। ମୁଖ୍ୟମନ୍ତ୍ରୀଙ୍କ ପଦ ଶିବସେନାର ଅଟେ। ଡେପୁଟି ମୁଖ୍ୟମନ୍ତ୍ରୀଙ୍କ ପଦ ହେଉଛି ଏନସିପି। ଏହା ଶିବସେନାର ଏକ ଆଭ୍ୟନ୍ତରୀଣ ପ୍ରସଙ୍ଗ, ସେମାନେ ଯାହା ବି ନିଷ୍ପତ୍ତି ନିଅନ୍ତୁ ତାହା ତାଙ୍କର ଆଭ୍ୟନ୍ତରଣ ପ୍ରସଙ୍ଗ ବୋଲି ଶରଦ ପାୱାର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।