ଭୋପାଲ : ମହାରାଷ୍ଟ୍ରରେ ଏବେ ଜାରି ରାଜନୈତିକ ସଂକଟ । ଟଳମଳ ହେଉଛି ଶିବସେନା ମୁଖ୍ୟ ତଥା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସରକାର ଗଦି। ତେବେ ଏହାରି ମଧ୍ୟରେ ବରିଷ୍ଠ ବିଜେପି ନେତ୍ରୀ ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମା ଭାରତୀ ବୁଧବାର ବଡ଼ ବୟାନ ଦେଇଛନ୍ତି। ସେ ଶିବସେନା ମୁଖ୍ୟ ତଥା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସରକାରର ତୁଳନା ସଢ଼ି ଯାଇଥିବା ଫଳ ସହ କରିଛନ୍ତି। ସେ ମହାରାଷ୍ଟ୍ରରେ ହୋଇଥିବା ସରକାରକୁ ଅପ୍ରାକୃତିକ ମଧ୍ୟ କହିଛନ୍ତି। ଏହା ସହ ଉମା ଭାରତୀ ରାଷ୍ଟ୍ରପତି ନିର୍ବାଚନରେ ବିରୋଧୀ ଦଳଙ୍କ ପ୍ରାର୍ଥୀ ୟଶବନ୍ତ ସିହ୍ନାଙ୍କୁ ତାଙ୍କ ପ୍ରାର୍ଥୀତ୍ୱ ପ୍ରତ୍ୟାହାର କରିବାକୁ ନିବେଦନ କରିଛନ୍ତି।
ଉମାଭାରତୀ ରାଷ୍ଟ୍ରପତି ନିର୍ବାଚନ ବାବଦେ ଏକ ଟ୍ୱିଟ୍ କରିଥିବା ବେଳେ ୟଶବନ୍ତ ସିହ୍ନାଙ୍କୁ ତାଙ୍କ ପୁରୁଣା ସମ୍ପର୍କ ମନେ ପକାଇ ଭାବୁକ ଅପିଲ କରିଛନ୍ତି। ଉମାଭାରତୀ ଟ୍ୱିଟ୍ରେ ବିରୋଧୀ ଦଳ ୟଶବନ୍ତ ସିହ୍ନାଙ୍କୁ ସେମାନଙ୍କ ପ୍ରାର୍ଥୀ କରିଥିବା ଓ ୟଶବନ୍ତ ସିହ୍ନା ପ୍ରଥମେ ବିଜେପିରେ ଥିଲେ ଓ ଅଟଳଜୀଙ୍କ ସରକାରର ମନ୍ତ୍ରୀ ହେବା ପୂର୍ବରୁ ବିଜେପି ଥିଙ୍କ ଟ୍ୟାଙ୍କରେ ଅଂଶ ବିଶେଷ ଥିଲେ ବୋଲି ଉଲ୍ଲେଖ କରିଛନ୍ତି। ସେତବେଳେ ମୁଁ ମଧ୍ୟ ସେହି ବୈଠକରେ ଯୋଗ ଦେଉଥିଲି ଯେଉଁଥିରେ ୟଶବନ୍ତ ସିହ୍ନା ଭାଷଣ ଦେଉଥିଲେ। ସେତେବେଳେ ସେ ଯାହା କହୁଥିଲେ ସେଥିରେ ଯଦି ତାଙ୍କର ବିଶ୍ୱାସ ଥାଏ ଓ ତାହା ପାଳନ କରୁଥାନ୍ତି ତେବେ ରାଷ୍ଟ୍ରପତି ପଦ ନିମନ୍ତେ ତାଙ୍କ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରି ନିଅନ୍ତୁ ବୋଲି ନିବେଦନ କରୁଥିବା ଉଲ୍ଲେଖ କରିଛନ୍ତି।
