“ନୀତୀଶ କୁମାରଙ୍କ ଉଦ୍ୟମ ବିରୋଧୀଙ୍କୁ ମଜବୁତ କରିବ, ଏହା ଗଣତନ୍ତ୍ର ପାଇଁ ଭଲ”: ଉମା ଭାରତୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତ୍ରୀ ତଥା ମଧ୍ୟପ୍ରଦେଶର ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଉମା ଭାରତ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ପ୍ରଶଂସା କରିଛନ୍ତି। ନୀତିଶ କୁମାର ବିରୋଧୀଙ୍କୁ ଏକଜୁଟ କରିବା ନେଇ ଉମା ଭାରତୀ କହିଛନ୍ତି ଯେ, ନୀତୀଶ କୁମାରଙ୍କ ଉଦ୍ୟମ ବିରୋଧୀଙ୍କୁ ମଜବୁତ କରିବ । ଯାହା ଗଣତନ୍ତ୍ର ପାଇଁ ଭଲ । ଉଲ୍ଲେଖଯୋଗ୍ୟ ଯେ, ନୀତୀଶ କୁମାର ନିକଟରେ ବିଜେପି ସହ ତାଙ୍କର ମେଣ୍ଟ ଭାଙ୍ଗି ବିହାରରେ ଆରଜେଡି ସହ ମିଶି ସରକାର ଗଠନ କରିଛନ୍ତି । ଏହା ପରେ ସେ ସମସ୍ତ ବିଜେପି ବିରୋଧୀ ଦଳକୁ ଏକଜୁଟ୍ କରିବା ପାଇଁ ପ୍ରୟାସ କରିଛନ୍ତି । ଏପରିକି ସେ ସମସ୍ତ ଦଳକୁ ଏକାଠି ହେବା ପାଇଁ ଆହ୍ୱାନ ଦେଇଛନ୍ତି । ନୀତିଶ ଙ୍କର ଏହି ପ୍ରୟାସକୁ ପ୍ରଶଂସା କରିଛନ୍ତି ଉମା ଭାରତୀ।

ତେବେ ନୀତୀଶ କୁମାର ଦେଶରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିକଳ୍ପ ହୋଇପାରିବେ କି ? ବୋଲି ଏକ ପ୍ରଶ୍ନର ଉତ୍ତରରେ ଉମା ଭାରତୀ କହିଛନ୍ତି ଯେ, ସେ (ନୀତୀଶ କୁମାର) ହୋଇ ପାରିବେନାହିଁ, ଏହାର ପ୍ରଶ୍ନ ଉଠୁ ନାହିଁ । କାରଣ ନରେନ୍ଦ୍ର ମୋଦୀ ଅଦ୍ୱିତୀୟ ବ୍ୟକ୍ତି ଏବଂ ଏପରି ବ୍ୟକ୍ତି ବହୁତ କମ୍ ଥାନ୍ତି । ମୋଦୀ ହେଉଛନ୍ତି ଭଗବାନଙ୍କ ରଚନା । ଲୋକଙ୍କ ଭଲ ପାଇବା ଏବଂ ସମର୍ଥନ ତାଙ୍କ ସହିତ ଅଛି ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ବିହାରରେ ମଦ ବନ୍ଦ ନିଷ୍ପତ୍ତି ପାଇଁ ଜେଡିୟୁ ମୁଖ୍ୟ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଉମା ଭାରତୀ ପ୍ରଶଂସା କରିଛନ୍ତି । ଉମା ଭାରତୀ ନୀତୀଶ କୁମାରଙ୍କ ବିହାରରେ ମଦ ନିଷେଧ ନେଇଥିବା ନିଷ୍ପତ୍ତିକୁ ଠିକ୍ କହିବା ସହିତ ପ୍ରଂଶସା କରିଛନ୍ତି, ଯାହାହେଉ ନୀତିଶ ଏପରି କରିବା ପାଇଁ ଅତି କମରେ ସାହାସ ତ ଦେଖାଇଲେ ବୋଲି କହିଛନ୍ତି ଉମା ଭାରତୀ।

ସୂଚନାଯୋଗ୍ୟ ଯେ, ଦୀର୍ଘ ଦିନ ଧରି ଉମା ବିଜେପି ଶାସିତ ରାଜ୍ୟରେ ମଦ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଆସୁଛନ୍ତି। ମଧ୍ୟପ୍ରଦେଶରେ ମଦ ବିକ୍ରି ଉପରେ ଉମା ଭାରତୀ ଅନେକ ଥର ପ୍ରଶ୍ନ ଉଠାଇଛନ୍ତି । ଉମା ଭାରତୀ ଶୁକ୍ରବାର ଦିନ ତାଙ୍କ ବାସଭବନରେ ଗଣମାଧ୍ୟମକୁ କହିଛନ୍ତି ଯେ ନୀତୀଶ କୁମାର ଅନ୍ତତଃପକ୍ଷେ ତାଙ୍କ ରାଜ୍ୟରେ ସମ୍ପୂର୍ଣ୍ଣ ମଦ ବନ୍ଦ ଆଇନ ଲାଗୁ କରିବାକୁ ସାହସ ତ ଦେଖାଇଲେ । ତେବେ ଉମା ଭାରତୀ ଆସନ୍ତା ଗାନ୍ଧୀ ଜୟନ୍ତୀ ଅର୍ଥାତ୍ ଅକ୍ଟୋବର ୨ ତାରିଖରେ ମଦ ବିରୋଧରେ ଏକ ସଚେତନତା ଅଭିଯାନ ଚଳାଇବେ ବୋଲି ସୂଚନା ଦେଇଛନ୍ତି । ଏନେଇ ସେ କହିଛନ୍ତି ଯେ ଭୋପାଳର ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ବସି ସେ ମହିଳାମାନଙ୍କୁ ଏହି ପ୍ରସଙ୍ଗରେ ସଚେତନ କରାଇବେ । ସେହି ଦିନ ରାଜ୍ୟରେ ମଦ ବିକ୍ରିକୁ ବିରୋଧ କରି ଘେରାଉ ମଧ୍ୟ କରାଯିବ ବୋଲି ସେ କହିଛନ୍ତି।

Related Posts