ମୁମ୍ବାଇ : ମହାରାଷ୍ଟ୍ରରେ ଜାରୀ ରହିଛି ରାଜନୈତିକ ସଙ୍କଟ । ଘୋର ସଙ୍କଟ ମଧ୍ୟରେ ଗତି କରୁଛନ୍ତି ଉଦ୍ଧବ ସରକାର । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଓ ଏକନାଥ ସିନ୍ଦେ ପରସ୍ପର ଶକ୍ତି ପ୍ରଦର୍ଶନ କରୁଛନ୍ତି। ଇତି ମଧ୍ୟରେ ଶୁକ୍ରବାର ମହାରାଷ୍ଟ୍ରର ସବୁ ପୋଲିସ ଥାନାକୁ ହାଇ ଆଲର୍ଟରେ ରଖିବା ଲାଗି ନିର୍ଦ୍ଦେଶ ଜାରି ହୋଇଛି। ଏଥିରେ ମୁମ୍ବାଇ ପୋଲିସ ପ୍ରଶାସନକୁ ଖାସ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି।
ଉପୁଜିଥିବା ପରିସ୍ଥିତିରେ ବହୁ ସଂଖ୍ୟାରେ ଶିବ ସୈନିକ ରାସ୍ତାକୁ ଓହ୍ଲାଇ ପାରନ୍ତି ବୋଲି ଏବେ ଆଶଙ୍କା କରାଯାଉଛି। ଏଣୁ ରାଜ୍ୟରେ ଶାନ୍ତି ଭଙ୍ଗ ହେଉ ତା ପୂର୍ବରୁ ପୋଲିସକୁ ସତର୍କ କରି ଦିଆଯାଇଛି। ମହାରାଷ୍ଟ୍ରରେ ଜଣ ଜଣ କରି ଶିବସେନା ବିଧାୟକ ଉଦ୍ଧବ ଠାକରେଙ୍କ ସାଥ ଛାଡିବାରେ ଲାଗିଛନ୍ତି। ଅପରପଟେ ଗୌହାଟୀରେ ପହଞ୍ଚିଥିବା ଏକନାଥ ସିନ୍ଦେଙ୍କ ଟିମ୍ ବେଳକୁ ବେଳ ମଜଭୁତ ହେବାରେ ଲାଗିଛି। ମହାରାଷ୍ଟ୍ର ରାଜନୀତିରେ ଏବେବି ବାଘ ଛେଳି ଖେଳ ଜାରି ରହିଛି।
ଜଣଜଣ କରି ବିଧାୟକ ଛାଡି ଚାଲିଯାଉଥିଲେ ବି ଶିବସେନା ମଜଭୁତ ଥିବା ଉଦ୍ଧବ ଦାବି କରୁଛନ୍ତି। ଏଥିରେ ୧୬ ବିଦ୍ରେହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ଲାଗି ଉପବାଚସ୍ପତିଙ୍କୁ ପତ୍ର ଲେଖା ଯାଇଥିବା ବେଳେ ଏକନାଥ ସିନ୍ଦେ ଗୌହାଟୀରେ ରହି ନିଜକୁ ବିଧାୟକ ଦଳ ନେତା ଦାବି କରୁଛନ୍ତି। ଉପୁଜିଥିବା ପରିସ୍ଥିତିରେ ଉଦ୍ଧବ ଠାକରେ ମାତୋଶ୍ରୀରେ ଏନସିପି ନେତା ଶରଦ ପାୱାରଙ୍କ ସହ ବୈଠକ କରୁଥିବା ବେଳେ ତାଙ୍କ ସମର୍ଥନରେ ଘର ଆଗରେ ଶହଶହ ଶିବ ସୈନିକ ଠୁଳ ହୋଇଛନ୍ତି।
ସେପଟେ ଉଦ୍ଧବ ଓ ଶରଦ ପାୱାରଙ୍କ ବୈଠକରେ ନେତା ସଂଖ୍ୟାକୁ ନେଇ ସମୀକ୍ଷା ହେବ। ସେହି ଅନୁସାରେ ଭବିଷ୍ୟତର ରଣନୀତି ପ୍ରସ୍ତୁତ କରାଯିବ। ତେବେ ଏନସିପି ସୂତ୍ର ଅନୁସାରେ ଅଧିକାଂଶ ବିଧାୟକ ଏକନାଥ ସିନ୍ଦେଙ୍କ ସହ ଚାଲି ଯାଇଛନ୍ତି। ପ୍ରତିମୂହୁର୍ତ୍ତରେ ସେମାନଙ୍କ ସଂଖ୍ୟା ବଢୁଥିବା ବେଳେ ମାମଲା ଯଦି ଆଗକୁ ଭିଡି ହୋଇଯାଏ ତେବେ ଏମଭିଏକୁ ବିଧାନସଭାରେ ଫ୍ଲୋର ଟେଷ୍ଟ ଦେବାକୁ ପଡିପାରେ। ଯାହା ଶିବସେନା ଲାଗି ଲଜ୍ଜାଜନକ ହେବ।
ତେବେ ରାଜନୀତିରେ ଯାହା ହେଉଥିଲେ ବି ଏହାର ପ୍ରଭାବ ଏବେ ରାଜ୍ୟରେ ଲୋକଙ୍କ ଉପରେ ପଡିବା ଆରମ୍ଭ କଲାଣି। ବିଦ୍ରୋହୀ ବିଧାୟକଙ୍କୁ ନେଇ ଶିବ ସୈନିକଙ୍କ ମଧ୍ୟରେ ଏବେ ରୋଷ ଦେଖାଗଲାଣି।
