ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ଚାଲିଛି ରାଜନୈତିକ ସଂକଟ । ଶାସକ ଓ ବିରୋଧୀଂକ ମଧ୍ୟରେ ଛକାପଞ୍ଝା ଚାଲିଛି । ବିଦ୍ରୋହୀ ବିଧାୟକମାନେ ଏବେ ଉଦ୍ଧବ ଠାକ୍‌ରେଙ୍କୁ ଅଲଗା କରି ନିଜ ଗାଦିରେ ବସିବା ନେଇ ଯୋଜନା ପ୍ରସ୍ତୁତ କରୁଥିବା ବେଳେ, ଶିବସେନାକୁ ଛଡ଼େଇ ନେବାକୁ ବସିଛନ୍ତି। ଏବେ ଶିବସେନା ଓ ଉଦ୍ଧବ ବିଦ୍ରୋହୀଙ୍କୁ ଫେରାଇ ଆଣିବାକୁ ଚେଷ୍ଟା କରୁଥିବା ବେଳେ ବିଫଳ ହେଉଥିବା ଦେଖାଯାଉଛି।

ଆଜି ଭିଡିଓ କନଫରେନ୍ସିଂରେ ଶିବସେନାର କିଛି ନେତାଙ୍କୁ ସମ୍ବୋଧନ କରି ବିଦ୍ରୋହୀ ବିଧାୟକଙ୍କ ବିରୋଧରେ ଅସନ୍ତୋଷ ପ୍ରକାଶ କରିଛନ୍ତି ଉଦ୍ଧବ ଠାକ୍‌ରେ। ବିଦ୍ରୋହୀମାନେ ପାର୍ଟିକୁ ଭାଙ୍ଗିବାକୁ ଚାହୁଁଛନ୍ତି। ଯେଉଁମାନେ ଛାଡ଼ି ଚାଲିଗଲେ ସେମାନଙ୍କ ପାଇଁ କାହିଁକି ମନ ଖରାପ କରିବି ବୋଲି ଉଦ୍ଧବ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଯେଉଁମାନେ କହୁଥିଲେ ଯେ ଆମେ ଶିବସେନା ପାଇଁ ବଞ୍ଚିବୁ ଓ ମରିବୁ ଆଜି ସେମାନେ ଛାଡ଼ି ପଳାଇଛନ୍ତି। ତେବେ ଶିବସେନା ଓ ଠାକ୍‌ରେ ନାଁ ବିନା ତୁମେ କେତେଦୂର ଯାଇପାରିବ ବୋଲି ଉଦ୍ଧବ ବିଦ୍ରୋହୀ ବିଧାୟକଙ୍କୁ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି “ଆପଣମାନେ ଗଛର ଫୁଲ, ଫଳ ଏବଂ ଗଣ୍ଡି ନେଇଯାଇପାରନ୍ତି। କିନ୍ତୁ ଗଛର ମୂଳକୁ ନଷ୍ଟ କରିପାରିବ ନାହିଁ।”

ବିଦ୍ରୋହୀ ବିଧାୟକଙ୍କ ନେତୃତ୍ୱ ନେଇଥିବା ଏକନାଥ ସିନ୍ଦେଙ୍କୁ ଟାର୍ଗେଟ୍ କରି ଉଦ୍ଧବ କହିଛନ୍ତି “ ମୁଁ ଏକନାଥଙ୍କ ପାଇଁ ସବୁକିଛି କରିଛି। ମୋ ପାଖରେ ବି ଯେଉଁ ବିଭାଗ ଥିଲା ମୁଁ ଏକନାଥଙ୍କୁ ଦେଇଛି। ତାଙ୍କର ନିଜ ପୁଅ ଜଣେ ସାଂସଦ। ହେଲେ ମୋ ପୁଅକୁ ନେଇ ଟିପ୍ପଣୀ କରାଯାଉଛି। ମୋ ବିରୋଧରେ ଅନେକ ଅଭିଯୋଗ ଲଗାଯାଇଛି।”

ଶିବସେନାର ଫାଟ ପାଇଁ ଉଦ୍ଧବ ଠାକ୍‌ରେ ବିଜେପିକୁ ଦାୟୀ କରିଛନ୍ତି। ବିଜେପି ପଛପଟୁ ଛୁରି ମାରିଛି, ତେଣୁ ଦଳ ସହ ମେଣ୍ଟ କରିବା ଅସମ୍ଭବ ବୋଲି ଉଦ୍ଧବ କହିଛନ୍ତି।