କାବୁଲ: ଆଫଗାନିସ୍ତାନକୁ ତାଲିବାନ ଅକ୍ତିଆର କରିବା ପରେ ଦେଶକୁ ଯେମିତି ଶନି ଦଶା ପଡ଼ିଛି। ଆତଂକବାଦୀ ଆକ୍ରମଣ ଓ ପ୍ରାକୃତିକ ବିପର୍ଯ୍ୟୟ ଦେଶର ସନ୍ତୁଳନକୁ ବିଗାଡି ଦେଇଛି । ନିକଟରେ ଭୟଙ୍କର ଭୂମିକମ୍ପରେ ଦୋହଲିଥିବା ଆଫଗାନିସ୍ତାନ ଏବେ ଭୟଂକର ସଙ୍କଟ ସ୍ଥିତି ମଧ୍ୟରେ ଗତି କରୁଛି । ଏକ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଶହ ଶହ ଆହତ ହୋଇଛନ୍ତି।

ଏଭଳି ଦୁଃସ୍ଥିତିରେ ଆଫଗାନିସ୍ତାନକୁ ଭାରତ ଉଦାରତା ଦେଖାଇ ସହାଯ୍ୟ ପଠାଇଥିବା ବେଳେ ଏବେ ଆମେରିକାର ସହାଯ୍ୟ ଲୋଡ଼ିଛି ଆଫଗାନିସ୍ତାନ। ଦେଶର ଅଚଳ କରାଯାଇଥିବା ବିଦେଶୀ ମୁଦ୍ରା ପାଣ୍ଠିକୁ ଖୋଲିବା ଓ ଲଗାଯାଇଥିବା ଆର୍ଥିକ ପ୍ରତିବନ୍ଧକକୁ ଉଠାଇବା ପାଇଁ ଆଫଗାନିସ୍ତାନ ଆମେରିକାକୁ ଅନୁରୋଧ କରିଛି। ଫଳରେ ଭୂମିକମ୍ପ ପୀଡ଼ିତଙ୍କୁ ସହଯୋଗ କରିହେବ।

ଏନେଇ ତାଲିବାନ ବିଦେଶମନ୍ତ୍ରୀ ଅମୀର ଖାନ ମୁତ୍ତାକି ଶନିବାର କାବୁଲ୍‌ରେ ରିପୋର୍ଟମାନଙ୍କ ସହ ଆଲୋଚନା ବେଳେ କହିଛନ୍ତି ” ଏଭଳି ଘଡ଼ସନ୍ଧିମୁହୂର୍ତ୍ତରେ ଆମେ ଆମେରିକାକୁ ଅନୁରୋଧ କରୁଛୁ ଯେ ଆଫଗାନିସ୍ତାନକୁ ଅନୁରୋଧ କରୁଛୁ ଯେ ଅଚଳ କରାଯାଇଛିବା ସମ୍ପତ୍ତିକୁ ପୁଣିଥରେ ମୁକ୍ତ କରାଯାଉ। ତା ସହ ଆଫଗାନିସ୍ତାନ ବ୍ୟାଙ୍କ ଉପରେ ଲଗାଯାଇଥିବା ପ୍ରତିବନ୍ଧକକୁ ଉଠାଯାଉ। ଯାହାଦ୍ୱାରା ଆମେ ଲୋକଙ୍କ ପାଖରେ ସହଯୋଗ ପଠାଇପାରିବୁ।”

ଭଏସ ଅଫ୍ ଆମେରିକାର ରିପୋର୍ଟ ଅନୁସାରେ, ଫେବ୍ରୁଆରୀରେ ଆଫଗାନିସ୍ତାନର କେନ୍ଦ୍ରୀୟ ବ୍ୟାଙ୍କର ଅଧା ସମ୍ପତ୍ତି ୭ ବିଲିୟନ ଆମେରିକୀୟ ଡଲାର ଛାଡ଼ କରିବାକୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଦସ୍ତଖତ କରିଥିଲେ। ଫଳରେ ସେଠାକାର ଲୋକଙ୍କୁ ସହଯୋଗ ଯୋଗାଇ ଦିଆଯିବ। ଏପଟେ ଭୂମିକମ୍ପ ଲୋକଙ୍କୁ ସହଯୋଗ ଯୋଗାଇ ଦିଆଯାଉଛି ବୋଲି ଆମେରିକା କହୁଛି। ଏପଟେ ଭାରତ ମଧ୍ୟ ଆଫଗାନିସ୍ତାନକୁ ସହଯୋଗ ଯୋଗାଇସାରିଛି।