ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବିଜେପିରୁ ନିଲମ୍ବିତ ନବୀନ ଜିନ୍ଦଲଙ୍କୁ ମିଳିଲା ଧମକପୂର୍ଣ୍ଣ ମେଲ୍ । ତେବେ ପୈଗମ୍ବର ମହମ୍ମଦଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିବା ବିଜେପିର ଅନ୍ୟତମ ନେତା ନବୀନ ଜିନ୍ଦଲଙ୍କୁ ଜୀବନରୁ ମାରିଦେବାକୁ ଧମକ ମିଳିଛି । ଏନେଇ ନବୀନ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ତାଙ୍କ କହିବା ମୁତାବକ, ତାଙ୍କୁ ଉଦୟପୁରରେ ଟେଲର କହ୍ନେୟାଲାଲଙ୍କ ମୁଣ୍ଡ କାଟର ଭିଡିଓ ଆଟାଚ୍ କରି ପଠାଇବା ସହ ସମାନଭାବେ ନବୀନଙ୍କର ଓ ତାଙ୍କ ପରିବାର ଲୋକଙ୍କର ମୁଣ୍ଡ କାଟିବାକୁ ଧମକ ଦିଆଯାଇଛି । ସେପଟେ ବୁଧବାର ସକାଳ ପାଖାପାଖି ୬ଟା ୪୩ ମିନିଟରେ ନବୀନଙ୍କ ପାଖକୁ ୩ ଟି ଧମକପୂର୍ଣ୍ଣ ମେଲ୍ ଆସିଥିଲା । ଏଥିରେ ନବୀନଙ୍କୁ କହ୍ନେୟାଲାଲଙ୍କ ପରି ହତ୍ୟା କରିବାକୁ ଧମକ ଲେଖାଯାଇଥିବା ନବୀନ ନିଜେ ଜଣାଇଛନ୍ତି ।
ଏହାପରେ ସେ ପୋଲିସକୁ ସୂଚନା ଦେବା ସହ ତାଙ୍କ ସୁରକ୍ଷା ପାଇଁ ଅପିଲ କରିଛନ୍ତି । ଅନ୍ୟପଟେ ପୈଗମ୍ବର ମହମ୍ମଦଙ୍କ ବିରୋଧରେ ମନ୍ତବ୍ୟ ଦେଇଥିବା ବିଜେପି ନେତ୍ରୀ ନୂପୁର ଶର୍ମାଙ୍କୁ ସମର୍ଥନ ଜଣାଇବାରୁ ରାଜସ୍ଥାନ ଉଦୟପୁରର ଜଣେ ହିନ୍ଦୁ ଟେଲର କହ୍ନେୟାଲାଙ୍କୁ ଅତି ନିର୍ଦ୍ଦୟ ଭାବେ ମୁଣ୍ଡକାଟି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ପରେ ଏହି ହତ୍ୟାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଜାରି କରିଛନ୍ତି । ତେବେ ଇସ୍ଲାମ ବିରୋଧରେ ଯିବାର ପ୍ରତିଶୋଧ ନିଆଯାଇଛି ବୋଲି ହତ୍ୟାକରୀ ଭିଡିଓରେ କହିଛନ୍ତି । ଏହି ଘଟଣା ପରେ ଉଦୟପୁରରେ ହିଂସା ସୃଷ୍ଟି ହୋଇଛି । ତେବେ ଏହାକୁ ନିୟନ୍ତ୍ରଣ କରିବାକୁ ପୁରା ଇଲାକାରେ କର୍ଫ୍ୟୁ ଜାରି କରାଯିବା ସହ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ ସେବାକୁ ବନ୍ଦ କରିଦିଆଯାଇଛି । ସେପଟେ ପୂର୍ବରୁ ଟେଲର କହ୍ନେୟାଲାଲଙ୍କୁ ହତ୍ୟା ଧମକ ମିଳିଥିଲା । ଏନେଇ କହ୍ନେୟାଲାଲ ଜୁନ୍ ୧୫ ତାରିଖରେ ପୋଲିସକୁ ଲିଖିତ ଭାବେ ଜଣାଇଥିଲେ ଏବଂ ସୁରକ୍ଷା ମାଗିଥିଲେ । ହେଲେ ପୋଲିସ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନଥିବା ଜଣାପଡିଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର୍ ଧରିବାରେ ଲାଗିଛି ।





