ଉଦୟପୁର: ରାଜସ୍ଥାନର ଉଦୟପୁର ହିଂସା ଘଟଣା । ବିଜେପିର ନିଲମ୍ବିତ ମୁଖପାତ୍ର ନୂପୁର ଶର୍ମାଙ୍କ ସମର୍ଥନ କରିବାରୁ ସଂଖ୍ୟାଲଘୁ ସଂପ୍ରଦାୟର ଦୁର୍ବୃତ୍ତ ନିର୍ମମ ହତ୍ୟା କରିଥିବା କହ୍ନେୟାଲାଲ ବୁଧବାର ପତ୍ତଭୂତରେ ବିଲୀନ ହୋଇଛନ୍ତି। ଦୁଃଖ ଏବଂ କ୍ରୋଧର ସହିତ ଲୋକେ ତାଙ୍କୁ ଅଶ୍ରୁ ନୟନରେ କହ୍ନେୟାଲାଲଙ୍କୁ ବିଦାୟ ଦେଇଛନ୍ତି।
ଅଶୋକନଗର ସ୍ଥିତ ଶ୍ମଶାନ ଘାଟରେ କହ୍ନେୟାଙ୍କ ଅନ୍ତିମ ସଂସ୍କାର କରାଯାଇଛି। ଏହି ସମୟରେ ଲୋକେ କହ୍ନେୟା ଅମର ରୁହନ୍ତୁ, ହତ୍ୟାକାରୀଙ୍କୁ ଫାଶି ଦିଆଯାଉ ନାରା ଦେଇଛନ୍ତି। କହ୍ନେୟାଙ୍କ ବଡ ପୁଅ ପିତାଙ୍କ ମୁଖାଗ୍ନି ଦେଇଛନ୍ତି।
ଉଦୟପୁରର ସାତ ଥାନା ଅଞ୍ଚଳରେ କର୍ଫ୍ୟୁ ଜାରି ରହିଥିଲେ ମଧ୍ୟ କହ୍ନେୟାଙ୍କ ଅନ୍ତିମ ଯାତ୍ରାରେ ଲୋକଙ୍କ ପ୍ରବଳ ଭିଡ ଜମିଥିଲା।ଏହା ପୂର୍ବରୁ ଏମବି ହସ୍ପିଟାଲରେ କହ୍ନେୟାଙ୍କ ଶବବ୍ୟବଚ୍ଛେଦ କରାଯାଇଥିଲା। ଘରେ ମରଶରୀର ପହଞ୍ଚିବା ପରେ ଶୋକାକୂଳ ମାହୋଲ ସୃଷ୍ଟି ହେବା ସହ ଲୋକଙ୍କ ମନରେ କ୍ରୋଧ ଦେଖିବାକୁ ମିଳିଥିଲା। ହତ୍ୟାକାରୀଙ୍କୁ ମୃତ୍ୟୁଦଣ୍ଡ ଦେବାକୁ ପରିବାର ଲୋକେ ଦାବି କରିଛନ୍ତି। ତାଙ୍କ ପତ୍ନୀ ହତ୍ୟାକାରୀଙ୍କୁ ଫାଶି ଦେବାକୁ ଦାବି କରିଛନ୍ତି। ମୃତ୍ୟୁର ବଦଳରେ ମୃତ୍ୟୁ ଦରକାର ବୋଲି କହିଛନ୍ତି କହ୍ନେୟାଙ୍କ ଭଉଣୀ।
ସୂଚନାଯୋଗ୍ୟ, ଗତକାଲି ସଂଖ୍ୟାଲଘୁ ସଂପ୍ରଦାୟର ଦୁଇ ଦୁର୍ବୃତ୍ତ କହ୍ନେୟା କୁମାରଙ୍କୁ ଅତି ବିଭତ୍ସ ଭାବେ ହତ୍ୟା କରିଛନ୍ତି। ଶବ ବ୍ୟବଚ୍ଛେଦର ରିପୋର୍ଟ ଅନୁଯାୟୀ, ତାଙ୍କ ଉପରେ ୨୬ ଥର ପ୍ରହାର କରାଯାଇଛି। ଶରୀରର ୧୩ଟି ସ୍ଥାନରେ ଗଭୀର କ୍ଷତ ରହିଛି। ବିଶେଷ କରି ବେକ ଆଖପାଖ ଅଞ୍ଚଳରେ ଅଧିକାଂଶ ଆକ୍ରମଣ କରାଯାଇଛି।
