ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ସନ୍ଧ୍ୟା ୭ଟାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଫଡନାଭିସ । ନିଜ ଦଳ ଗଠନ କରିଥିବା ସରକାର ବିରୋଧରେ ବିଦ୍ରୋହ କରି ଏହାକୁ ଭାଙ୍ଗି ଦେଇଥିବା ଶିବସେନା ନେତା ଏକନାଥ ସିନ୍ଦେଙ୍କୁ ବିଜେପି ବଡ଼ ଉପହାର ଦେବାକୁ ଯାଉଛି। ସେ ଆଜି ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ସାରିଥିବାରୁ ବିଜେପି ଏବେ ସରକାର ଗଠନ ପାଇଁ ପ୍ରକ୍ରିୟା ଆରମ୍ଭ କରିଛି।
ଆଜି ସନ୍ଧ୍ୟାରେ ବିଜେପିର ବରିଷ୍ଠ ନେତା ଦେବେନ୍ଦ୍ର ଫଡନାଭିସ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଏହାପୂର୍ବରୁ ସେ ରାଜ୍ୟପାଳ ଭଗତ ସିଂହ କୋଶୟାରୀଙ୍କୁ ଭେଟିଛନ୍ତି। ଏହି ସମୟରେ ସେ ସରକାର ଗଠନ ପାଇଁ ଦାବି ଜଣାଇଥିଲେ। ରାଜ୍ୟପାଳ ତାଙ୍କ ଦାବିକୁ ଦୃଷ୍ଟିରେ ରଖି ଆଜି ସନ୍ଧ୍ୟା ୭ଟାରେ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି କହିଛନ୍ତି। ଫଡନାଭିସ ରାଜ୍ୟପାଳଙ୍କୁ ଭେଟିବା ବେଳେ ତାଙ୍କ ସହ ମହା ବିକାଶ ଅଘାଡ଼ି ସରକାରକୁ ଭାଙ୍ଗିବାରେ ସହାୟତା କରିଥିବା ଏକନାଥ ସିନ୍ଦେ ମଧ୍ୟ ରହିଥିଲେ। ସେ ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର୍ ଧରିବାରେ ଲାଗିଛି ।
