ରାଗିଂ ଓ ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା; ୟୁଜିସିର ଗାଇଡଲାଇନ ସତ୍ତ୍ୱେ ପାଳନ ହେଉନି ନିୟମ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ ରାଗିଂ ଓ ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା ବଢ଼ିବାରେ ଲାଗିଛି । ତେବେ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜର ଡାକ୍ତରୀ ଛାତ୍ର ନିଶାନ୍ତ କୁମାରଙ୍କ ମୃତ୍ୟୁ ହୋଇଥିଲା । କଲେଜକୁ ଆସୁ ଆସୁ ପ୍ରଥମ ବର୍ଷର ଡାକ୍ତରୀ ଛାତ୍ର ନିଶାନ୍ତ ହଷ୍ଟେଲ ଛାତ ଉପରୁ ତଳକୁ ଡେଇଁ ଜୀବନ ହାରି ଦେଇଥିଲେ । ମାମଲାକୁ ନେଇ ପୋଲିସ ତଦନ୍ତ କରିଥିଲେ ମଧ୍ୟ ଡାକ୍ତରୀ ଛାତ୍ରଙ୍କ ଆତ୍ମହତ୍ୟାର କାରଣ ନେଇ ଏଯାଏଁ କିଛି ସ୍ପଷ୍ଟ କରିପାରି ନାହିଁ । ଗତ ଏପ୍ରିଲ ୨୨ ତାରିଖ ଅପରାହ୍ନରେ ଡାକ୍ତରୀ ଛାତ୍ର ନିଶାନ୍ତଙ୍କ ୭ ମହଲାରୁ ତଳେ ପଡି ମୃତ୍ୟୁ ହୋଇଥିଲା । ଯାଜପୁର ଜିଲ୍ଲା ବିଆରଜି କଲୋନିର ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷ ବିଜ୍ଞାନ ଛାତ୍ରୀ ସ୍ମୃତିଶ୍ରୀ ଦାସଙ୍କ ଝୁଲନ୍ତ ମୃତଦେହ ଚଣ୍ଡିଖୋଲ ଜିଆଇଇଟି କଲେଜ ହଷ୍ଟେଲରୁ ଉଦ୍ଧାର ହୋଇଥିଲା । ରାଗିଂ ପାଇଁ ସ୍ମୃତିଶ୍ରୀଙ୍କ ଜୀବନ ଯାଇଥିଲା । ତେବେ ମାମଲାକୁ ୭ ମାସ ପୁରି ଯାଇଥିଲେ ମଧ୍ୟ ଆଜିଯାଏ ପରିବାର ଲୋକ ନ୍ୟାୟ ଅପେକ୍ଷାରେ ରହିଛନ୍ତି । ବାଲେଶ୍ୱରରେ ମଧ୍ୟ ବିଭିନ୍ନ ସମୟରେ ରାଗିଂର ଶିକାର ହୋଇ ନିରୀହ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ଗତ ମେ ୧୮ ତାରିଖରେ ବାଲେଶ୍ୱର ସହରରେ ଏକ ଯୁକ୍ତଦୁଇ ବିଜ୍ଞାନ ଆବାସିକ କଲେଜରେ ପଢୁଥିବା ଶେଷବର୍ଷର ଛାତ୍ରୀ ସାବିତ୍ରୀ ବେହେରା ନିଜ ସହପାଠୀ ଓ ହଷ୍ଟେଲ ୱାଡେନଙ୍କ ରାଗିଂର ଶିକାର ହୋଇ ହଷ୍ଟେଲର ୪ ମହଲା ବିଲ୍ଡିଂରୁ ଡେଇଁ ଆତ୍ମହତ୍ୟା କରିଥିଲେ ।

ଗତବର୍ଷ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଡାକ୍ତରୀ ଛାତ୍ରୀ ନିରୁପମା ନନ୍ଦଙ୍କ ସନ୍ଦିଗ୍ଧ ମୃତ୍ୟୁକୁ ନେଇ ଥାନାରେ ମାମଲା ହୋଇଥିଲା । ମୃତ ଛାତ୍ରୀଙ୍କ ପରିବାର ଲୋକ ହତ୍ୟା ଅଭିଯୋଗ ଆଣି ନ୍ୟାୟ ପାଇଁ ବଲାଙ୍ଗିର ଥାନାକୁ ଯାଇଥିଲେ । ମେଡିକାଲ କଲେଜର ଲେଡିଜ୍ ହଷ୍ଟେଲ ରୁମର ଝରକାରୁ ନିରୁପମାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା । ରାତି ୧୨ଟାରେ ନିରୁପମା ପରିବାର ଲୋକଙ୍କ ସହ କଥାହୋଇଥିଲେ । କିନ୍ତୁ କିଛି ସମୟରେ ନିରୁପମାଙ୍କ ମୃତ୍ୟୁ ହୋଇଥିବା ଖବର ଦେଇଥିଲେ ମେଡାକଲ କଲେଜ କର୍ତୃପକ୍ଷ । ସେପଟେ ରାଗିଂକୁ ରୋକିବା ପାଇଁ ୟୁଜିସି ଗାଇଡଲାଇନ ଜାରି କରିଛି । ଶିକ୍ଷାବର୍ଷ ଆରମ୍ଭରୁ ଆଣ୍ଟି-ରାଗିଂ ସ୍କ୍ୱାଡ୍ ଗଠନ ଉପରେ ଗୁରୁତ୍ୱ ଦେବା । ସମସ୍ତ ବିଶ୍ୱବିଦ୍ୟାଳୟରେ ଗଠନ ହେବ ଆଂଟି-ରାଗିଂ କମିଟି ଓ ସ୍କ୍ୱାଡ୍ । ଆଣ୍ଟି-ରାଗିଂ ସେଲ ପ୍ରତିଷ୍ଠା କରିବାକୁ ସମସ୍ୱ ବିଶ୍ୱବିଦ୍ୟାଳୟ ବାଧ୍ୟ । ୟୁନିଭର୍ସିଟି ବ୍ରୋଚରରେ ଆଣ୍ଟି-ରାଗିଂ ସଂପର୍କରେ ଉଲ୍ଲେଖ ରହିବ । ୱେବସାଇଟରେ ଆଣ୍ଟି-ରାଗିଂ କମିଟି ନୋଡାଲ ଅଫିସରଙ୍କ ଠିକାଣା ଓ ଫୋନ ନମ୍ବର ରହିବ । ନାମଲେଖା ସମୟରେ ସମସ୍ତ ଛାତ୍ରଛାତ୍ରୀ ଅଣ୍ଡରଟେକିଂ ଦେବା ବାଧ୍ୟତାମୂଳକ । ଆଣ୍ଟି-ରାଗିଂ ସ୍କ୍ୱାଡର ସଦସ୍ୟ ହଷ୍ଟେଲ, କ୍ୟାଂଟିନ, ରେଷ୍ଟରୁମ୍, ଶୌଚାଳୟରେ ଚଢାଉ କରିବେ । ଆଣ୍ଟି-ରାଗିଂ ନେଇ ନିୟମିତ ଭାବେ ଛାତ୍ରଛାତ୍ରୀଙ୍କ କର୍ମଶାଳା ଓ ଆଲୋଚନାଚକ୍ର କରାଯିବ । ୟୁଜିସିର ଆଣ୍ଟି-ରାଗିଂ ହେଲ୍ପଲାଇନ ନମ୍ବର- ୧୮୦୦-୧୮୦-୫୫୨୨ । ରାଗିଂ ବିରୋଧରେ ଅଭିଯୋଗ କରିବାକୁ ଇ-ମେଲ- ହେଲ୍ପଲାଇନ୍ ଆଟ ଆଣ୍ଟିରାଗିଂ ଡଟ୍ ଇନ୍ । ଏସବୁ ସତ୍ତ୍ୱେ ରାଜ୍ୟରେ ଦିନକୁ ଦିନ ରାଗିଂ ଓ ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା ବଢ଼ିବାରେ ଲାଗିଛି ।

Related Posts