ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଗ୍ରାମ୍ୟ ଉନ୍ନୟନ ବିଭାଗର କାମକୁ ନେଇ ବିଧାନସଭାରେ ଉଭୟ ବିରୋଧୀ ଓ ଶାସକ ଦଳର ବିଧାୟକଙ୍କ ଉଦବେଗ । ତେବେ ଗ୍ରାମ୍ୟ ଉନ୍ନୟନ ବିଭାଗର ରାସ୍ତା ପୂର୍ତ୍ତ ବିଭାଗକୁ ସ୍ଥାନାନ୍ତରରେ ସମସ୍ୟା ଏବଂ ଗାଁ ରାସ୍ତାଗୁଡ଼ିକ ଦୀର୍ଘ ଦିନ ଧରି ମରାମତି ହେଉନଥିବାରୁ ଅନେକ ବିଧାୟକ ଉଦବେଗ ପ୍ରକାଶ କରିଛନ୍ତି। ସେପଟେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେ଼ଇ ଉତ୍ତର ରଖି କହିଛନ୍ତି ଯେ ରାଜ୍ୟରେ ୧ ଲକ୍ଷ ୩ ହଜାର ୭୩୧ କିଲୋମିଟର ଆରଡି ରୋଡ ରହିଛି। ୨୦୨୧-୨୨ ଆର୍ଥିକ ବର୍ଷରେ ଏହାର ମରାମତି ପାଇଁ ୧୨୫୭ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି।
ପ୍ରତି କିଲୋମିଟର ପିଛା ୧୧ ଲକ୍ଷ ୬୨ ହଜାର ଟଙ୍କା ଖର୍ଚ୍ଚ ହୋଇଛି । ଅନ୍ୟପଟେ ପଞ୍ଚାୟତିରାଜ ବିଭାଗ ଅଧୀନରେ ଚାଲୁଥିବା ଜଳ ଜୀବନ ମିସନର କାର୍ୟ୍ୟକାରିତା ନେଇ ମଧ୍ୟ ବିଧାନସଭାରେ ଉଦବେଗ ପ୍ରକାଶ ପାଇଥିଲା। ବିଧାୟକମାନେ ଅଭିଯୋଗ କରିଥିଲେ ଯେ ଜଳ ଜୀବନ ମିସନରେ କେବଳ ବୋର୍ଡମରା ହୋଇ ଯାଉଛି, ମାତ୍ର ଘରେ ଘରେ ପାଣି ପହଞ୍ଚୁନି। ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।
