ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ ବେକାରୀ ସମସ୍ୟା ବଢ଼ିବାରେ ଲାଗିଛି । ଏନେଇ ବିରୋଧୀ ଶାସକଙ୍କ ବାରମ୍ବାର ଟାର୍ଗେଟ କଲେ ମଧ୍ୟ ଏହି ସମସ୍ୟାର ସମାଧାନ ହୋଇପାରୁ ନାହିଁ । ଏହା ମଧ୍ୟରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଆଲୋଚନାରେ ଭାଗ ନେଇ କହିଛନ୍ତି ଯେ ଦକ୍ଷତା ବିକାଶ ମନ୍ତ୍ରୀ ତାଙ୍କ ଉତ୍ତର ସମୟରେ ୧୭୪ ଥର ମୁଖ୍ୟମନ୍ତ୍ରୀଙ୍କ ନାମ ନେଇଛନ୍ତି।ଯୁବକ ଯୁବତୀ ବାହାର ରାଜ୍ୟକୁ ଦାଦନ ଖଟିବା ପାଇଁ ଯାଉଛନ୍ତି। ମୋଟ ସରକାରୀ ପଦବୀର ୨୨.୫ ପ୍ରତିଶତ ପଦବୀ ଖାଲି ପଡ଼ିଛି। ୨୦୧୪ରେ ବିଜେଡି ତା ନିର୍ବାଚନ ଇସ୍ତାହାରରେ କହିଥିଲା ପ୍ରତି ପଞ୍ଚାୟତରେ ୧୫୦ଜଣଙ୍କୁ ଚାକିରି ଦେଵ। ବର୍ଷକୁ ଦୁଇ ଲକ୍ଷ ନିଯୁକ୍ତି ଦେବାକୁ କହିଥିଲା ବେଳେ କୁଆଡେ ଗଲା ଚାକିରି ବୋଲି ପ୍ରଶ୍ନ କରିଛନ୍ତି ତାରା। ବିଦ୍ୟାଳୟ ଖୋଲାଯାଉଛି ହେଲେ ଶିକ୍ଷକ ନିଯୁକ୍ତି ହେଉନାହିଁ। ନିଯୁକ୍ତି କ୍ଷେତ୍ରରେ ଯୁବବର୍ଗଙ୍କୁ ନିରୁତ୍ସାହିତ କରିଛନ୍ତି ସରକାର। ଗାଁ ଗାଁ ରେ ମଦ ଦୋକାନ ଖୋଲିଛନ୍ତି। ସେପଟେ ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡେଇ କହିଛନ୍ତି, ଓଡ଼ିଶାରେ ଯୁବକ ଯୁବତୀମାନଙ୍କୁ ନିଯୁକ୍ତିକ୍ଷମ କରିବା ପାଇଁ ତାଲିମ କାର୍ୟ୍ୟକ୍ରମ ଚାଲୁ ରହିଛି।

୨୦୧୧-୧୨ରୁ ୨୦୨୧-୨୨ ପର୍ୟ୍ୟନ୍ତ ୧ ଲକ୍ଷ ୫୬୪ ଯୁବବର୍ଗଙ୍କୁ ତାଲିମ ପ୍ରଦାନ କରାଯାଇଛି। ସେଥିମଧ୍ୟରୁ ୨୭୬୧୧ ଜଣଙ୍କୁ ନିଯୁକ୍ତି ଦିଆଯାଇଛି। ୮୨ଟି ଦକ୍ଷତା ବିକାଶ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି।୨୦୦୮-୦୯ରୁ ୨୦୨୧-୨୨ ବର୍ଷ ଭିତରେ ୩୦ଟି ଜିଲ୍ଲାରେ ୨୯୬ଟି ନିଯୁକ୍ତି ମେଳା ଆୟୋଜନ କରାଯାଇଛି।ମୋଟ ୫ ଲକ୍ଷ ୬୦ ହଜାର ୪୫ ଯୁବବର୍ଗ ଅଂଶ ଗ୍ରହଣ କରିଥିଲେ। ୧,୪୮,୬୪୫ ଜଣଙ୍କୁ ନିଯୁକ୍ତିପତ୍ର ଦିଆଯାଇଛି। ବିଶ୍ୱ ଦକ୍ଷତା କେନ୍ଦ୍ରରେ ୨୪୦ ଜଣ ଯୁବକଯୁବତୀ ତାଲିମ ନେଉଛନ୍ତି। ଗତ ୩ ବର୍ଷ ଭିତରେ ୫ ଲକ୍ଷ ୬ ହଜାର ୯୬୫ ଜଣ ଯୁବକ ଯୁବତୀଙ୍କୁ ତାଲିମ ପ୍ରଦାନ କରାଯାଇ ଆତ୍ମନିଯୁକ୍ତି କ୍ଷମ କରାଯାଇଥିବା ଗୃହରେ ମନ୍ତ୍ରୀ କହିଛନ୍ତି। କେନ୍ଦ୍ର ସରକାରଙ୍କ ସହାୟତାରେ ସମ୍ବଲପୁର, କଟକ, ରାଉରକେଲା, ଢେଙ୍କାନାଳ, ବ୍ରହ୍ମପୁର, କେଉଁଝର, କୋରାପୁଟରେ ମଡେଲ କ୍ୟାରିଅର ସେଣ୍ଟର ପ୍ରତିଷ୍ଠା କରାଯାଇଛି। ଏଥିରେ ନିଯୁକ୍ତି ଓ ତାଲିମ ଦିଆଯାଉଛି। ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।