ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦୈତାରୀ ପଣ୍ଡାଙ୍କ ନାଁରେ ଥାନାରେ ଏତଲା । ତେବେ ଯାତ୍ରା ପାର୍ଟିରୁ ୧୫ଲକ୍ଷ ନେଇ ଧରାଛୁଆଁ ଦେଉନଥିବା ବାଲେଶ୍ୱର ଔପଦାରେ ଅଭିଯୋଗ ହୋଇଛି । ଚୁକ୍ତି ମୁତାବକ ପାର୍ବତୀ ଗଣନାଟ୍ୟର ଆଖଡାକୁ ଆସୁନଥିବା ନେଇ ରାଜଧାନୀ ମିଡିଆ ହାଉସ ପକ୍ଷରୁ ଏତଲା ଦିଆଯାଇଛି । ସେପଟେ ନିଜର ନିକ୍ଷୁଣ ଅଭିନୟ ପାଇଁ ଯାତ୍ରା ଜଗତରେ ଦୈତାରୀ ପଣ୍ଡା ଏକ ଭିନ୍ନ ଏକ ଛବି ତିଆରି କରିଛନ୍ତି ।

ପାର୍ବତୀ ଗଣନାଟ୍ୟ ପକ୍ଷରୁ ଆଜି ଏହାର ପରିଚାଳନା ଅଧିକାରୀ ହର ବାରିକ ଅନଲାଇନ ଅଭିଯୋଗ କରିଛନ୍ତି । ଏହି ଅଭିଯୋଗରେ ସେ ଦର୍ଶାଇଛନ୍ତି ଯେ ପାର୍ବତୀ ଗଣନାଟ୍ୟ ସହ ୨୦୨୨-୨୩ ଯାତ୍ରା ସିଜିନ ପାଇଁ ବରିଷ୍ଠ ଯାତ୍ରା ଅଭିନେତା ଦୈତ୍ୟାରୀ ପଣ୍ଡା ଚୁକ୍ତି କରିଥିଲେ ।

ଆଉ ଅଗ୍ରିମ ଆକାରରେ ସେ ନିଜ ଦରମାର ୬୦ ପ୍ରତିଶତ ଅର୍ଥାତ ପ୍ରାୟ ୧୫ ଲକ୍ଷ ଟଙ୍କା ନେଇସାରିଛନ୍ତି । ଚୁକ୍ତିନାମା ଅନୁସାରେ ସେ ଜୁନ ୨୧ ତାରିଖରୁ ଆସି ଆଖଡ଼ାରେ ଆଗାମୀ ଯାତ୍ରା ପାଇଁ ପ୍ରସ୍ତୁତି କରିବା କଥା । କିନ୍ତୁ ସେ ଆଖଡ଼ାକୁ ନ ଆସିବା ସହ ତାଙ୍କୁ ଯୋଗାଯୋଗ କରାଯାଇପାରୁନାହିଁ । ଯେହେତୁ ବିଭିନ୍ନ ଯାତ୍ରା କମିଟିଠାରୁ ପାର୍ବତୀ ଗଣନାଟ୍ୟ ପ୍ରାୟ ୫୦ ଲକ୍ଷ ଟଙ୍କାର ଅଗ୍ରିମ ନେଇସାରିଛି, ତେଣୁ ଦୈତ୍ୟାରୀଙ୍କୁ ଖୋଜିବାରେ ପୁଲିସ ସାହାଯ୍ୟ କରୁ ବୋଲି ସେ ଏତଲାରେ ଦର୍ଶାଇଛନ୍ତି ।

ଦୈତ୍ୟାରୀ ନ ଆସିଲେ ପାର୍ବତୀ ଗଣନାଟ୍ୟକୁ ଏକ ବଡ ଆର୍ଥିକ କ୍ଷତି ହେବ ବୋଲି ହର ବାରିକ କହିଛନ୍ତି । ହରଙ୍କ କହିବା କଥା ଯେ ଗଣନାଟ୍ୟ ପକ୍ଷରୁ ତାଙ୍କର ବାଲେଶ୍ୱରସ୍ଥିତ ଔପଦା ଘର ଓ ଭୁବନେଶ୍ବରର ପଟିଆ ଘରେ ବି ଖୋଜାଖୋଜି କରାଯାଇଥିଲେ ବି ସନ୍ଧାନ ମିଳୁନାହିଁ । ତେଣୁ ବାଧ୍ୟ ହୋଇ ସେ ପୁଲିସର ଦ୍ୱାରସ୍ଥ ହୋଇଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।