ଏକାଠି ଯୁଦ୍ଧ ବିମାନ ଉଡ଼ାଇ ଇତିହାସ ସୃଷ୍ଟି କଲେ ବାପଝିଅ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଏକାଠି ଯୁଦ୍ଧ ବିମାନ ଉଡ଼ାଇ ଇତିହାସ ସୃଷ୍ଟି କଲେ ବାପଝିଅ । ଏୟାର କମୋଡର ସଞ୍ଜୟ ଶର୍ମା ଓ ତାଙ୍କ ଝିଅ ତଥା ଫ୍ଲାଇଙ୍ଗ ଅଫିସର ଅନନ୍ୟା ଶର୍ମା ଭାରତୀୟ ବାୟୁସେନା ଇତିହାସରେ ନୂଆ ଅଧ୍ୟାୟ ଯୋଡିଛନ୍ତି । ଦେଶର ପ୍ରଥମ ବାପା ଝିଅ ଭାବେ ଏମାନେ ଏହି ବିରଳ କୃତିତ୍ୱ ହାସଲ କରିଛନ୍ତି । ବାୟୁସେନାର ଫାଇଟର ପାଇଲଟ୍ ଥିଲେ ସଞ୍ଜୟ । ସେତେବେଳୁ ଝିଅ ଅନନ୍ୟା ତାଙ୍କର ପଦାଙ୍କ ଅନୁସରଣ କରିଥିଲେ । ବଡ଼ ହେଲେ ପିତାଙ୍କ ଭଳି ଜଣେ ବାୟୁସେନା ପାଇଲଟ୍ ହେବାକୁ ସ୍ୱପ୍ନ ଦେଖିଥିଲେ । ଶେଷରେ ପିତାଙ୍କର ଫେଲୋ ସ୍କ୍ୱାଡ୍ରନ୍ ପାଇଲଟ୍ ହୋଇ ସ୍ୱପ୍ନ ସାକାର କରିଛନ୍ତି । ୨୦୨୨ ମେ ୩୦ରେ ଇତିହାସ ରଚି ଏୟାରଫୋର୍ସ ଷ୍ଟେସନ ବିଦାରଠାରେ ସେମାନେ ମିଶି ହକ୍-୧୩୨ ଯୁଦ୍ଧ ବିମାନ ଉଡ଼ାଇଥିଲେ ।

ପୂର୍ବରୁ ବାୟୁସେନା ବିମାନକୁ କୌଣସି ବାପଝିଅ ମିଶି ଉଡ଼ାଇ ନ ଥିଲେ । ୨୦୧୬ରେ ଭାରତୀୟ ବାୟୁସେନାରେ ମହିଳା ପାଇଲଟ୍କୁ ସାମିଲ ପାଇଁ ନିଷ୍ପତ୍ତି ହେବା ପରେ ନିଜ ଦୀର୍ଘଦିନର ସ୍ୱପ୍ନ ପୂରଣ ପାଇଁ ମନ ବଳାଇଥିଲେ ଅନନ୍ୟା । ଇଲେକ୍ଟ୍ରୋନିକ୍ସ ଆଣ୍ଡ୍ କମ୍ୟୁନିକେସନ୍ରେ ବି.ଟେକ୍ ଶେଷ କରିବା ପରେ ସେ ଆଇଏଏଫ୍ ଫ୍ଲାଇଙ୍ଗ୍ ବ୍ରାଞ୍ଚ୍ରେ ତାଲିମ ନେବା ପାଇଁ ମନୋନୀତ ହୋଇଥିଲେ । ୨୦୨୧ ଡିସେମ୍ବରରେ ସେ ଜଣେ ଫାଇଟର୍ ପାଇଲଟ୍ ଭାବେ ନିଯୁକ୍ତି ପାଇଥିଲେ । ତାଙ୍କ ପିତା ତଥା ଏୟାର କମୋଡର୍ ସଞ୍ଜୟ ଶର୍ମା ୧୯୮୯ରେ ବାୟୁସେନାର ଫାଇଟର୍ ଷ୍ଟ୍ରିମ୍ରେ ସାମିଲ ହୋଇଥିଲେ । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts