ମୁଜାଫର୍‌ପୁର୍‌: ଚର୍ଚାରେ ଜଣେ ବିହାରୀ କଲେଜ ପ୍ରଫେସର୍‌ | ସେ ୨ ବର୍ଷ ୯ ମାସର ଦରମା ବାବଦକୁ ପାଇଥିବା ୨୩.୮ ଲକ୍ଷ ଟଙ୍କା ଫେରାଇ ଦେଇଛନ୍ତି | ଏନେଇ ସେ ଯୁକ୍ତି ଦର୍ଶାଇ କହିଛନ୍ତି ଯଦି ପିଲା ପାଠପଢିବାକୁ ନଆସିବେ ତେବେ ମୁଁ ;କାହିଁକି ଦରମା ନେବି ବୋଲି ପ୍ରଶ୍ନ କରିଛନ୍ତି | କିନ୍ତୁ, ସରକାରୀ କର୍ତ୍ତୃପକ୍ଷମାନେ ଉକ୍ତ ଅଧ୍ୟାପକଙ୍କ ଯୁକ୍ତି ଓ ଦରମା ଫେରସ୍ତ ପ୍ରତିବାଦକୁ ଗ୍ରହଣ କରିପାରି ନାହାନ୍ତି।

ପ୍ରାପ୍ତ ସୂଚନା ଅନୁସାରେ, ମୁଜାଫର୍‌ନଗରରେ ଥିବା ‘ନୀତିଶ୍ବର କଲେଜ’ରେ ଲାଲ୍ଲନ୍‌ କୁମାର ନାମରେ ଜଣେ ବ୍ୟକ୍ତି ସହକାରୀ ହିନ୍ଦୀ ପ୍ରଫେସର୍‌ ଭାବେ ନିଯୁକ୍ତ ହୋଇଛନ୍ତି। କିନ୍ତୁ, ଶ୍ରେଣୀକୁ ପିଲା ଆସୁ ନ ଥବାରୁ ସେ ମନକଷ୍ଟ କରି ଏଭଳି ପ୍ରତିବାଦ ଜଣାଇଛନ୍ତି। ସେ କହିଛନ୍ତି, କୌଣସି ବିଶ୍ବବିଦ୍ୟାଳୟ ଅଧୀନରେ ଥିବା ଅନ୍ୟ ଗୋଟାଏ କଲେଜକୁ ନ ଗଲେ ତାଙ୍କ ଶିକ୍ଷାଦୀକ୍ଷାର ଅପମୃତ୍ୟୁ ଘଟିବ।

ମନର କ୍ଷୋଭ ପ୍ରକାଶ କରି ସେ ସାମାଜିକ ଗଣମାଧ୍ୟମରେ ଲେଖିଛନ୍ତି: ସ୍ନାତକୋତ୍ତର ଶ୍ରେଣୀରେ ପଢ଼ାଇବା ଭଳି କଲେଜରେ ମୁଁ ନିଯୁକ୍ତି ପାଇ ନ ଥିଲି। ଚୟନ ପ୍ରକ୍ରିୟା ସମୟରେ କମ୍‌ ଯୋଗ୍ୟତା ଥିବା ବ୍ୟକ୍ତିମାନଙ୍କୁ ଏଠାରେ ନିଯୁକ୍ତି ମିଳିଥିଲା। ଏ କଲେଜକୁ ଛାତ୍ରଛାତ୍ରୀ ଆସନ୍ତି ନାହିଁ।

ଏହାଛଡ଼ା, ବଦଳି ତାଲିକାରୁ ମଧ୍ୟ ତାଙ୍କ ନାଁ ବହୁବାର କାଟି ଦିଆଗଲାଣି। ମୋ ଦାବି ପୂରଣ ନ ହେଲା ପର୍ଯ୍ୟନ୍ତ ଧାରଣା ଦେବି ବୋଲି ସେ କହିଛନ୍ତି।

ସେପଟେ, କଲେଜର ଅଧ୍ୟକ୍ଷ ମନୋଜ କୁମାର କହିଛନ୍ତି ଯେ, ଛାତ୍ରଛାତ୍ରୀ ଆସୁନାହାନ୍ତି ବ‌ୋଲି କହିବା ଅପ୍ରାସଙ୍ଗିକ। ଗତ ଦୁଇ ବର୍ଷ ହେବ କରୋନାଭାଇରସ୍‌ ମହାମାରୀ ହେତୁ କ୍ଲାସ୍‌ ବାଧାପ୍ରାପ୍ତ ହୋଇଥିଲା। ଯଦି ବଦଳି ହେବାରେ ତାଙ୍କର ଆଗ୍ରହ ଅଛି, ସେ ମୋତେ ସିଧାସଳଖ କହି ପାରିଥାଆନ୍ତେ।

କଲେଜକୁ ଛାତ୍ରଛାତ୍ରୀ ଆସୁ ନ ଥିବା ସଂକ୍ରାନ୍ତରେ ଅବଗତ ହୋଇଥିବା କଥା ମଧ୍ୟ ‘ବାବାସାହେବ ଭୀମରାଓ ଆମ୍ବେଦକର ବିହାର ବିଶ୍ବବିଦ୍ୟାଳୟ କହିଛି। ଭାଇସ୍‌-ଚାନ୍‌ସେଲର୍‌ ଆର୍. କେ. ଠାକୁର କହିଛନ୍ତି, ଏ ବିଷୟରେ ଆମେ ଅନୁସନ୍ଧାନ କରିବୁ। ବଦଳି ଦାବି ନେଇ ପ୍ରଫେସର୍‌ ଲାଲ୍ଲନ୍‌ କୁମାର ବିବ୍ରତ ହୋଇପଡ଼ିଛନ୍ତି। ସେ ଗୋଟାଏ ଚେକ୍‌ ଦେଇଛନ୍ତି, କିନ୍ତୁ ଆମେ ତାହା ଗ୍ରହଣ କରିନାହୁଁ।

ସୂଚନାଯୋଗ୍ୟ, ପିଏଚ୍‌.ଡି କରିଥିବା ଲଲ୍ଲାନ୍‌ କୁମାର ଦିଲ୍ଲୀ ବିଶ୍ବବିଦ୍ୟାଳୟ ଏବଂ ଜବାହରଲାଲ୍‌ ନେହେରୁ ବିଶ୍ବବିଦ୍ୟାଳୟରେ ପାଠ ପଢ଼ିଥିଲେ।