ଉମରକୋଟ: ଆଜି ୧୨ ଘଣ୍ଟିଆ ନବରଙ୍ଗପୁର ଜିଲ୍ଲାର ଉମରକୋଟ ବନ୍ଦ | ସହରର ସମସ୍ତ ବ୍ୟାବସାୟିକ ପ୍ରତିଷ୍ଠାନ ପକ୍ଷରୁ ଦିଆଯାଇଛି ବନ୍ଦ ଡାକରା | ଜିଏସଟି ବିଭାଗର ଅଧିକାରୀମାନେ ବାରମ୍ବାର ଉମରକୋଟ ଆସି ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଚଢ଼ାଉକୁ ନେଇ ଉମରକୋଟ ସହରର ବ୍ୟବସାୟୀଙ୍କ ଭିତରେ ଅସନ୍ତୋଷ ଦେଖାଯାଇଛି। ଏହାକୁ ପ୍ରତିବାଦ କରି ଆଜି ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯନ୍ତ ଉମରକୋଟ ସହର ଓ ଏହାର ଆଖପାଖ ଅଞ୍ଚଳର ସମସ୍ତ ବ୍ୟାବସାୟିକ ପ୍ରତିଷ୍ଠାନ ବନ୍ଦ ରଖାଯାଇଛି। ଏନେଇ ଉମରକୋଟ ବ୍ୟବସାୟିକ ସଂଘ ପକ୍ଷରୁ ଏକ ଗୁରୁତ୍ଵପୁର୍ଣ୍ଣ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା |

ବୈଠକରେ ଜିଏସଟି ବିଭାଗର ଉମରକୋଟଠାରେ ବିଭିନ୍ନ ବ୍ୟାବସାୟିକ ପ୍ରତିଷ୍ଠାନ ଉପରେ ଚଢ଼ାଉକୁ ନେଇ ତୀବ୍ର ପ୍ରତିବାଦ କରାଯାଇଥିଲା।

ଓଡ଼ିଶାର ଅନ୍ୟ ସହରରେ ଏପରି ଚଢ଼ାଉ ହେଉନଥିବାବେଳେ ଉମରକୋଟରେ କାହିଁକି ଘନ ଘନ ଚଡଉ କରାଯାଉଛି ବୋଲି ବ୍ୟବସାୟୀମାନେ ପ୍ରଶ୍ନ କରିଛନ୍ତି। କରୋନା ଯୋଗୁଁ ବ୍ୟବସାୟୀଙ୍କ ମେରୁଦଣ୍ଡ ଭାଙ୍ଗି ପଡିଥିବା ବେଳେ ବ୍ୟବସାୟୀମାନେ ବ୍ୟାଙ୍କ ଓ ଲୋକଙ୍କଠାରୁ ହାତ ଉଧାରୀ ଆଣି ବହୁ କଷ୍ଟରେ ବ୍ୟବସାୟକୁ ଛିଡା କରାଉଥିବାବେଳେ ଜିଏସଟି ଅଧିକାରୀଙ୍କ ଚଢ଼ାଉ ବ୍ୟବସାୟୀଙ୍କ ମେରୁଦଣ୍ଡକୁ ଭାଙ୍ଗିସାରିଲାଣି ବୋଲି ବ୍ୟବସାୟୀମାନେ ଅଭିଯୋଗ କରିଛନ୍ତି। ବ୍ୟବସାୟୀଙ୍କ ମଧ୍ୟରେ ବଢୁଥିବା ଅସନ୍ତୋଷ କୁ ନେଇ ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି |