ଶେଷ ହେଲା ବିଧାନସଭାର ମୌସୁମୀ ଅଧିବେଶନର ପ୍ରଥମ ପର୍ଯ୍ୟାୟ

ଭୁବନେଶ୍ୱର: ଆରମ୍ଭ ହୋଇଥିବା ବିଧାନସଭାର ମୌସୁମୀ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଅଧିବେଶନ ଶେଷ ହୋଇଛି । ପ୍ରଥମ ପର୍ଯ୍ୟାୟ ଅଧିବେଶନରେ ଗୃହରେ ୨୦୨୨-୨୩ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପିତ ହେବା ସହ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା | କିନ୍ତୁ ପ୍ରଥମ ପର୍ଯ୍ୟାୟ ଅଧିବେଶନରେ ମୁଖ୍ଜ୍ୟମନ୍ତ୍ରୀ ଅନୁପସ୍ଥିତ ଥିବା ନେଇ ଦେଖିବାକୁ ମିଳିଥିଲା | ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବିଦେଶ ଗସ୍ତରୁ ଫେରି ନବୀନ ନିବାସରୁ ଭର୍ଚୁଆଲ ମୋଡରେ ଗୃହ କାର୍ଯ୍ୟରେ ସାମିଲ ହୋଇଥିବାବେଳେ ଅସୁସ୍ଥତା କାରଣରୁ ବିରୋଧୀ ଦଳ ନେତା ଶ୍ରୀ ନାଏକ ଗୃହ କାର୍ଯ୍ୟରେ ଯୋଗ ଦେଇପାରିନଥିବା ଜଣାପଡ଼ିଛି ।

ସେପଟେ ଗୃହକୁ ଆସନ୍ତା ୧୩ତାରିଖ ପର୍ଯ୍ୟନ୍ତ ବାଚସ୍ପତି ମୁଲତବୀ ଘୋଷଣା କରିଛନ୍ତି ।

ସୂଚନା ଅନୁସାରେ, ୨୦୨୨-୨୩ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟକୁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭାରେ ଉପସ୍ଥାପନ କରିବାବେଳେ ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଭର୍ଚୁଆଲ ମୋଡରେ ସାମିଲ ହୋଇଥିଲେ । ଯଦିଓ ଗୃହରେ ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ଭାବେ ଉପସ୍ଥିତ ରୁହନ୍ତୁ ବୋଲି ସର୍ବଦଳୀୟ ବୈଠକରେ କଂଗ୍ରେସ ପକ୍ଷରୁ ଦାବି ହୋଇଥିଲା । ମୁଖ୍ୟମନ୍ତ୍ରୀ ବିଦେଶ ଗସ୍ତ ସହ ପୁରୀକୁ ଗସ୍ତ କରିଥିଲେ ମଧ୍ୟ ଗୃହ କାର୍ଯ୍ୟରେ ସାମିଲ ହୋଇନାହାନ୍ତି। ଏପଟେ ବିରୋଧୀ ଦଳ ନେତା ଶ୍ରୀ ନାଏକ ଦୀର୍ଘଦିନ ଧରି ଅସୁସ୍ଥତା ଯୋଗୁ ଗୃହ କାର୍ଯ୍ୟରେ ସାମିଲ ହେଉନଥିଲେ। ବିଜେପି ତାଙ୍କ ସ୍ଥାନରେ ଆଉ କାହାରିକୁ ବିରୋଧୀ ଦଳ ନେତା ଚୟନ କରୁନଥିବାରୁ ଦୀର୍ଘ ୨ବର୍ଷ ଧରି ଗୁରୁତ୍ୱପୂର୍ଣ୍ଣ ପବ୍ଲିକ ଆକାଉଣ୍ଟସ୍ କମିଟି(ପିଏସି) ବୈଠକ ମଧ୍ୟ ବସି ପାରୁନି । ଚଳିତ ଅଧିବେଶନରେ ମଧ୍ୟ ବିଜେପି କାହାରିକୁ ବିଧାୟକ ଦଳ ନେତା ଚୟନ କରିନାହିଁ । ବିଧାନସଭା ଅଧିବେଶନ ସମୟରେ ଉଭୟ ଗୃହର ନେତା ଓ ବିରୋଧୀ ଦଳ ନେତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥିବାବେଳେ ଏହି ଦୁଇ ନେତା ଗୃହରେ ଅନୁପସ୍ଥିତ ରହିବା ତଥା କୌଣସି ବିଧାୟକଙ୍କୁ ସାକ୍ଷାତ ନକରିବା ପରୋକ୍ଷରେ ଭିନ୍ନ ଏକ ପରମ୍ପରା ସୃଷ୍ଟି କରିଛି ।

ଯାହାର ପ୍ରତିଫଳନ ମଧ୍ୟ ଚଳିତ ବିଧାନସଭା ଅଧିବେଶନରେ ଦେଖିବାକୁ ମିଳିଛି । ଶାସକ ସଭ୍ୟ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ଭାଗିରଥୀ ସେଠୀ ଖୋଲାଖୋଲି ଭାବେ ସରକାରୀ ଅଫିସର ଓ ମନ୍ତ୍ରୀଙ୍କ କାର୍ଯ୍ୟକୁ ସମାଲୋଚନା କରି ନିଜ ସରକାରର ଅସଲ ମୁଖା ଖୋଲିଛନ୍ତି । ସାଧାରଣ ଭାବେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ସବୁ ଦଳର ବିଧାୟକମାନଙ୍କ ପାଇଁ ସମ୍ଭବପର ହେଉନଥିବାବେଳେ ବିଧାନସଭା ଅଧିବେଶନ ସମୟରେ ବି ମୁଖ୍ୟମନ୍ତ୍ରୀ ଗୃହକୁ ନଆସିବା ପରୋକ୍ଷରେ ବିଧାୟକମାନଙ୍କ ପାଇଁ ଭେଟିବାର ଶେଷ ସୁଯୋଗକୁ ମଧ୍ୟ ବନ୍ଦ କରିଦେଇଛି ।

ଚଳିତ ଅଧିବେଶନରେ ବିରୋଧୀ ସଦସ୍ୟମାନେ କଲେଜ ଛାତ୍ରୀ ରୁଚିକା ଆତ୍ମହତ୍ୟା ପ୍ରସଙ୍ଗକୁ ନେଇ ଗୃହରେ ହଟ୍ଟଗୋଳ କରିଥିଲେ ମଧ୍ୟ ପରେ ଗୃହ କାର୍ଯ୍ୟ ସ୍ୱାଭାବିକ ଚାଲିଛି । ଶନିବାର ଗୃହରେ ବଜେଟ୍ ଉପସ୍ଥାପନ ହୋଇଥିବାବେଳେ ଅନ୍ୟ ୩ଦିନ ଧରି ଗୃହରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବିଦ୍ୟୁତ ସଂସ୍କାର ଓ ଘନଘନ ପାୱାର କାଟ୍, ବେରୋଜଗାରୀ ସମସ୍ୟା ଓ ରାଜ୍ୟରେ ନିଶା କାରବାର ବୃଦ୍ଧିକୁ ଆସିଥିବା ୩ଟି ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ମଧ୍ୟ ସମ୍ଭବପର ହୋଇଛି । ଗୃହରେ ବଜେଟର ସାଧାରଣ ଆଲୋଚନା ଆଜି ଶେଷ ହୋଇଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନରେ ବିଭାଗୱାରି ବଜେଟ୍ ଉପରେ ଆଲୋଚନା ହେବ ।

ଚଳିତ ପ୍ରଥମ ପର୍ଯ୍ୟାୟ ଅଧିବେଶନରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ୨ଟି ଗୁରୁତ୍ୱପୂର୍ଣ୍ଣ ରୁଲିଂ ଦେଇଛନ୍ତି ।

Related Posts