ଗୁଣ୍ଡିଚା ମନ୍ଦିରରେ ସରି ସରି ଆସୁଛି ମହାପ୍ରଭୁଙ୍କ ଲୀଳାଖେଳା: ବାହୁଡ଼ିବେ ମହାପ୍ରଭୁ

ପୁରୀ : ବଡ ଦାଣ୍ଡକୁ ଓଲ୍ଲହାଇଆସିଥିବା ମହାପ୍ରଭୁଙ୍କ ଲୀଳାଖେଳା ସରିବ | ବାହୁଡ଼ି ଯିବେ ମହାପ୍ରଭୁ | ଗୁଣ୍ଡିଚା ମନ୍ଦିରରେ ସରି ସରି ଆସୁଛି ମହାପ୍ରଭୁଙ୍କ ଏହି ଲୀଳାଖେଳା | ଆଉ ସେପଟେ ବାହୁଡ଼ିବା ନେଇ ବାହୁଡ଼ା ଯାତ୍ରାର ପ୍ରସ୍ତୁତି ଜୋରସୋରରେ ଆରମ୍ଭ ହୋଇଯାଇଛି | ଶରଧାବାଲିରେ ୩ ରଥକୁ ଦକ୍ଷିଣ ମୋଡ଼ କରାଯାଇଛି ।

ଆସନ୍ତା ୯ ତାରିଖରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ଥିବାରୁ ତା’ର ପୂର୍ବଦିନ ଅର୍ଥାତ୍ ୮ ତାରିଖରେ ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ସଂଧ୍ୟା ଦର୍ଶନ ଅବସରରେ ଭକ୍ତମାନେ କେବଳ ଅପରାହ୍ଣ ୪ଟା ଯାଏଁ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କରିପାରିବେ ।

ଶ୍ରୀଗୁଣ୍ଡିଚା ଯାତ୍ରା ଭଳି ବାହୁଡ଼ା ଯାତ୍ରାରେ ମଧ୍ୟ ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି କିଭଳି ସଅଳ କରାଯିବ ସେନେଇ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି ଦଇତାପତି ନିଯୋଗ । ସେହିଭଳି ୧୦ ତାରିଖ ଦିନ ସିଂହଦ୍ବାର ସମ୍ମୁଖରେ ରଥ ଉପରେ ମହାପ୍ରଭୁଙ୍କ ସୁନାବେଶ ନୀତି ଅନୁଷ୍ଠିତ ହେବ । ସମସ୍ତ ଭକ୍ତ ଯେଭଳି ସୁନ୍ଦର ଭାବେ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ କରିପାରିବେ ସେନେଇ ପ୍ରଶାସନ ପକ୍ଷରୁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଉଛି । ସେବାୟତମାନେ ରଥ ଉପରେ ଫଟୋ କିମ୍ବା ଭିଡିଓ ଉଠାଇ ପାରିବେ ନାହିଁ । ତିନି ରଥରେ ଶ୍ରୀବିଗ୍ରହଙ୍କ ସମ୍ମୁଖରେ ଉଭୟ ପାର୍ଶ୍ବରେ ପାଇପ ବାଡ଼ ଲଗାଯିବ । ଯାହା ଫଳରେ କୌଣସି ସେବାୟତ ଶ୍ରୀବିଗ୍ରହଙ୍କ ସମ୍ମୁଖରେ ଠିଆ ହେବେ ନାହିଁ ।

Related Posts