ବେଙ୍ଗାଲୁରୁ: କର୍ଣ୍ଣାଟକ ପ୍ରାଣୀ ପାଳନ ମନ୍ତ୍ରୀ ପ୍ରଭୁ ବି. ଚୱନ ଜନସାଧାରଣଙ୍କୁ ଏକ ଚେତାବନୀ ଦେଇଛନ୍ତି | ‘ବକ୍‌ରିଦ୍‌’ ପର୍ବରେ ଗୋରୁ ହତ୍ୟା ନ କରିବା ଲାଗି ସେ ସମସ୍ତ ଜନସାଧାରଣଙ୍କୁ ନିବେଦନ କରିବା ସହ ଚେତାବନୀ ଦେଇ କହିଛନ୍ତି ଯଦି ଏହି ନିୟମ କିଏ ଅମାନ୍ୟ କରନ୍ତି ତେବେ ତାଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ |

ରାଜ୍ୟରେ ‘ଗୋ-ହତ୍ୟା ନିଷେଧ ଆଇନ’ ଲାଗୁ ହୋଇ ସାରିଥିବାରୁ ଜନସାଧାରଣ ଏଥିରୁ ବିରତ ରହିବା ଉଚିତ ବୋଲି ସେ କହିଛନ୍ତି। ଏହାଛଡ଼ା, ବେଆଇନ ଭାବେ ରାଜ୍ୟରୁ କିଂବା ରାଜ୍ୟ ବାହାରୁ ହେଉଥିବା ବେଆଇନ ଗୋରୁ/ଗୋମାଂସ ଚାଲାଣ ଉପରେ କଡ଼ା ନଜର ରଖିବା ପାଇଁ ସେ ପ୍ରାଣୀ ପାଳନ ବିଭାଗ ଏବଂ ପୁଲିସ ବିଭାଗର କର୍ମଚାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି।

ଚୱନ୍‌ ଆହୁରି ମଧ୍ୟ କହିଛନ୍ତି, ‘ବକ୍‌ରିଦ୍‌’ ପର୍ବ ଅବସରରେ ପ୍ରାଣୀ ହତ୍ୟା ପ୍ରଥା ଥିବାରୁ ଗାଈ, ବଳଦ, ବାଛୁରୀ ଏବଂ ଓଟ ଆଦି ପ୍ରାଣୀ ସମ୍ପଦ ଆବଶ୍ୟକ ହୋଇଥାଏ। ତେଣୁ, ରାଜ୍ୟର କ‌ୌଣସି ପ୍ରାନ୍ତରେ ଯେଭଳି ଗୋ-ହତ୍ୟା ନ ହୁଏ ସେଥିପ୍ରତି ସୁନିଶ୍ଚିତ ହେବାକୁ ପୁଲିସ ବିଭାଗ ଏବଂ ଜିଲ୍ଲା କମିସନର୍‌ମାନଙ୍କୁ ସୂଚନା ଦିଆ ସରିଛି। ଯଦି କୌଣସି ସ୍ଥାନରେ ଗୋ-ହତ୍ୟା କରାଯାଇଥିବା ଜଣାପଡ଼େ ତେବେ, ସ୍ଥାନୀୟ ଥାନାରେ ‘ଏଫ୍‌ଆଇଆର୍‌’ ରେଜିଷ୍ଟ୍ରି କରାଯାଇ ଆଇନ ଉଲ୍ଲଂଘନକାରୀଙ୍କ ବିରୋଧରେ ତୁରନ୍ତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।