ନୂଆଦିଲ୍ଲୀ: ତୃଣମୂଳ ସାଂସଦ ମହୁଆ ମୋଇତ୍ରା ଆଜି ପୁଣି ଥରେ ଦମ୍ଭୋକ୍ତି ଦେଖାଇଛନ୍ତି । ବିଜେପିକୁ ଟାର୍ଗେଟ କରିବା ସହ ଚ୍ୟାଲେଞ୍ଜ ମଧ୍ୟ କରିଛନ୍ତି | ଦେବୀ କାଳୀଙ୍କ ସମ୍ପର୍କରେ ଆପତ୍ତିଜନକ ବୟାନ ଦେଇ ବିବାଦ ଘେରକୁ ଆସିଥିବା ବେଳେ, ତାଙ୍କର ଏହି ବୟାନକୁ ବିଜେପି ବିରୋଧ କରିଥିଲା |
କିନ୍ତୁ ସେ ନିଜ ବୟାନ କୁ ନେଇ ମୁହଁ ଖୋଲିବା ସହ ଭୁଲ ବୋଲି ବିଜେପି ପ୍ରମାଣିତ କରିକି ଦେଖାଉ ବୋଲି ମହୁଆ କହିଛନ୍ତି । ଆଜି ଏକ ସ୍ଥାନୀୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମହୁଆ ଏପରି ଚ୍ୟାଲେଞ୍ଜ କରିଥିବା ଦେଖିବାକୁ ମିଳିଛି । ମା’ କାଳୀ ପ୍ରସାଦରେ ମାଂସ ଓ ଆଲକୋହଲ ଗ୍ରହଣ କରନ୍ତି ବୋଲି କହିଥିଲେ ମହୁଆ । ଯାହାକୁ ନେଇ ବିଜେପି ବିରୋଧ କରିବା ସହ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଦାବି କରିଥିଲା ।
ମହୁଆ କହିଛନ୍ତି ପଶ୍ଚିମବଙ୍ଗରେ ମା’ କାଳୀଙ୍କୁ ମାଂସ ଓ ଆଲକୋହଲ ପ୍ରସାଦ ଭାବେ ଚଢାନ୍ତି ଶ୍ରଦ୍ଧାଳୁ । ତେବେ ଏଥିରେ କିଛି ଆପତ୍ତି ନାହିଁ । ବିଜେପି ହିନ୍ଦୁତ୍ବ ନାଁରେ ହୀନ ରାଜନୀତି କରୁଛନ୍ତି । ବିଜେପିର ହିନ୍ଦୁତ୍ବ ରାଜନୀତି କେବଳ କିଛି ନିର୍ଦ୍ଦିଷ୍ଟ ମାପଦଣ୍ଡରେ ହିଁ ସୀମିତ । ସେମାନେ କେବଳ ଉତ୍ତର-କୌନ୍ଦ୍ରୀକ ହିନ୍ଦୁତ୍ବ ରାଜନୀତି, ବ୍ରାହ୍ମଣୀୟ ଧାରଣା ଉପରେ ଆଧାିରିତ ହିନ୍ଦୁତ୍ବକୁ ଗ୍ରହଣ କରିବା ଶିଖିଛନ୍ତି ବୋଲି ମହୁଆ କହିଛନ୍ତି ।
ସାଂସଦ ମହୁଆ ମୋଇତ୍ରାଙ୍କ ବିବାଦୀୟ ବୟାନକୁ ନେଇ ତାଙ୍କ ବିରୁଦ୍ଧରେ ଦେଶର ଏକାଧିକ ସ୍ଥାନରେ ମାମଲା ରୁଜୁ ହୋଇ ସାରିଲାଣି । ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇବା ଅଭିଯୋଗରେ ଆଇପିସିର ଧାରା ୨୯୫-A ରେ ମାମଲା ରୁଜୁ କରାଯାଇଛି । ଦେବୀ କାଳୀ ସିଗାରେଟ ଟାଣୁଥିବା ଡକ୍ୟୁମେଣ୍ଟାରୀ ଫିଲ୍ମର ଏକ ପୋଷ୍ଟର ଉପରେ ସାଂସଦ ମହୁଆ ମୋଇତ୍ରା ପ୍ରତିକ୍ରିୟା ଦେଇଥିଲେ ଯେ, ମା’ କାଳୀ ମଦ ଓ ମାଂସ ଖାଉଥିବା ଦେବୀ ଅଟନ୍ତି । ଭୁଟାନ, ସିକିମ୍ ଭଳି କିଛି ସ୍ଥାନରେ ଦେବୀଙ୍କୁ ଆଲୋକହଲ ମଧ୍ୟ ପ୍ରସାଦ ଭାବେ ଲାଗି କରିବାର ପ୍ରଥା ରହିଛି ବୋଲି ମଧ୍ୟ ସେ କହିଥିଲେ |





