ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବନ୍ୟା ପାଣି ଯୋଗୁଁ ନାଳ ଅତିକ୍ରମ କରିପାରିଲେନି ୧୪ ଛାତ୍ରଛାତ୍ରୀ । ସେମାନେ ରାତି ସାରା ଏକ ଗ୍ୟାରେଜରେ ରହିଥିବାର ସୂଚନା ମିଳିଛି । ତେବେ ବର୍ଷା ପରେ ବନ୍ୟା ପାଣି ଯୋଗୁଁ ବୌଦ୍ଧ ଜିଲ୍ଲା ହରଭଙ୍ଗା ଅଞ୍ଚଳ ଲଷ୍ମୀ ନାଳ ଅତିକ୍ରମ କରି ଘରକୁ ଫେରି ପାରିନ ପାରି ୧୪ ଜଣ ଛାତ୍ରଛାତ୍ରୀ ଜାତୀୟ ରାଜପଥକଡ଼ରେ ଥିବା ଏକ ମୋଟର ଗ୍ୟାରେଜରେ ରାତ୍ରିଯାପନ କରି ଆଜି ସକାଳେ ଘରକୁ ଫେରିବା ଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସେପଟେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବାଣୀଭୂଷଣପୁର ପଞ୍ଚାୟତ ଅନ୍ତର୍ଗତ ଡ଼ିଗିସିରା ଗ୍ରାମର ୧୪ ଜଣ ଛାତ୍ରଛାତ୍ରୀ ଦୈନିକ ଲଷ୍ମୀନାଳ ଦେଇ ଚାରିଛକକୁ ପଢିବାକୁ ଆସିଥାନ୍ତି। ଶୁକ୍ରବାର ମଧ୍ୟ ସବୁଦିନ ଭଳି ସ୍କୁଲ ଛୁଟି ହେବା ପରେ ଘରକୁ ଫେରୁଥିଲେ ।

ବାଟରେ ପଡୁଥିବା ଲଷ୍ମୀନାଳ ପାର୍ ହେବା ସମୟରେ ହଠାତ ଉପର ମୁଣ୍ଡରେ ବର୍ଷା ଯୋଗୁଁ ବନ୍ୟାପାଣି ପ୍ରବାହିତ ହେଉଥିଲା । ଫଳରେ ୨ ଜଣଙ୍କ ସାଇକେଲ ବନ୍ୟା ପାଣିରେ ଭାସି ଯାଇଥିବା ବେଳେ ଅନ୍ୟ ଛାତ୍ରଛାତ୍ରୀ ଅଳ୍ପକେ ବର୍ତ୍ତି ଯାଇଥିଲେ । ଚାହୁଁଚାହୁଁ ସନ୍ଧ୍ୟା ହୋଇଯିବା ପରେ ଜାତୀୟ ରାଜପଥକଡ଼ରେ ଥିବା ଏକ ଗ୍ୟାରେଜରେ ୧୪ ଜଣ ଛାତ୍ରଛାତ୍ରୀ ରାତିରେ ଆଶ୍ରୟ ନେଇଥିଲେ। ଭାସି ଯାଇଥିବା ୨ ସାଇକେଲ ଆଜି ଉଦ୍ଧାର ହୋଇଥିଲା। ଆଜି ନାଳରେ ପାଣି କମିବା ପରେ ସେମାନଙ୍କ ପରିବାର ଲୋକ ସେଠାରେ ପହଞ୍ଚି ନିରାପଦରେ ନାଳପାର କରି ଘରକୁ ନେଇଥିବା ଦେଖିବାକୁ ମିଳିଛି। ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।