ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆମ ଆଦମୀ ପାର୍ଟି ରାଷ୍ଟ୍ରପତି ନିର୍ବାଚନ ରେ କାହାକୁ ସମର୍ଥନ ଦେବ ସେନେଇ ଆଜି ନିଷ୍ପତି ନେବ । ଆମ ଆଦମୀ ପାର୍ଟିର ରାଜନୈତିକ ବ୍ୟାପାର କମିଟିର ବୈଠକ ଆଜି ବସିବାକୁ ଯାଉଛି। ଏହି ବୈଠକରେ ଦଳ NDA ର ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ କି ମିଳିତ ବିରୋଧୀ ଦଳର ପ୍ରାର୍ଥୀ ଯଶୋବନ୍ତ ସିହ୍ନାଙ୍କୁ ସମର୍ଥନ କରିବ ସେନେଇ ନିଷ୍ପତି ଗ୍ରହଣ କରିବ।
ସଂଖ୍ୟା ଗଣିତକୁ ନଜରକୁ ଆଣିଲେ ଭଗବନ୍ତ ମାନ ପଞ୍ଜାବ ମୁଖ୍ୟମନ୍ତ୍ରୀ ହେବାପରେ ଦଳର ଲୋକସଭାରେ ଜଣେ ହେଲେ ସାଂସଦ ନାହାନ୍ତି। ସେପଟେ ଦଳ ନିକଟରେ ରାଜ୍ୟସଭାରେ ୧୦ ସାଂସଦ ରହିଛନ୍ତି ଏହାସହ ପଞ୍ଜାବ ବିଧାନସଭାରେ ୯୨, ଦିଲ୍ଲୀ ବିଧାନସଭାରେ ୬୨ ଓ ଗୋଆ ବିଧାନସଭାରେ ୨ ଜଣ ବିଧାୟକ ଅଛନ୍ତି। ସମସ୍ତଙ୍କ ଭୋଟ ମୂଲ୍ୟ କୁ ହିସାବକୁ ନେଲେ ରାଷ୍ଟ୍ରପତି ନିର୍ବାଚନରେ ମୋଟ ୧୦.୮୬ ଲକ୍ଷ୍ୟ ଇଲେକ୍ଟ୍ରରାଲ କଲେଜ୍ ମଧ୍ୟରୁ ଆପ ନିକଟରେ ୨୧,୩୦୮ ମୂଲ୍ୟର ଭୋଟ ରହିଛି।
ତେବେ ସୂଚନା ଅନୁସାରେ ରାଷ୍ଟ୍ରପତି ପ୍ରାର୍ଥୀ ଚୟନ ସମୟରେ ମିଳିତ ବିରୋଧୀ ଦଳ ମାନଙ୍କର ବୈଠକକୁ ଆପ ଯାଇନଥିଲା। ବର୍ତ୍ତମାନ ପରିସ୍ଥିତିରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା, ଶିବସେନା ଭଳି ବିରୋଧୀ କ୍ୟାମ୍ପର ଦଳ ମାନେ NDAର ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଘୋଷଣା କରି ସାରିଛନ୍ତି। ତେବେ ଆଜିର ବୈଠକ ରେ ଆପ କେଉଁ ପ୍ରାର୍ଥୀଙ୍କୁ ସମର୍ଥନ ଦେବ ଏହା ଉପରେ ସମସ୍ତଙ୍କର ନଜର ରହିଛି।
