ସହଯୋଗ ପାଇଁ ନୀତିଶ କୁମାରଙ୍କୁ ମୁଁ କଲ କରିଥିଲି ହେଲେ ସେ ଫୋନ୍ ଉଠେଇଲେ ନାହିଁ : ଯଶୋବନ୍ତ ସିହ୍ନା

ଭୁବନେଶ୍ବର ( ସତ୍ୟପାଠ ବ୍ୟୁରୋ ): ମିଳିତ ବିରୋଧୀ ଦଳର ପ୍ରାର୍ଥୀ ଯଶୋବନ୍ତ ସିହ୍ନା କହିଛନ୍ତି ସମର୍ଥନ ପାଇଁ ସେ ନୀତିଶ କୁମାର ଙ୍କୁ କଲ କରିଥିଲେ ମାତ୍ର ନୀତିଶ ତାଙ୍କ ଫୋନ୍ ଉଠାଇଲେ ନାହିଁ। ଅଟଳ ବିହାରୀ ବାଜପେୟୀଙ୍କ କ୍ୟାବିନେଟରେ ନୀତିଶ ଓ ଯଶୋବନ୍ତ ମନ୍ତ୍ରୀ ଥିଲେ। ହେଲେ ବର୍ତ୍ତମାନ ନୀତିଶ ତାଙ୍କୁ ସମର୍ଥନ ନକରିବା ତାଙ୍କୁ ଆଶ୍ଚର୍ଯ୍ୟ କରିଛି ବୋଲି ଶ୍ରୀ ସିହ୍ନା କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି “ମୋ ବିପକ୍ଷରେ ଲଢ଼ୁଥିବା ଦ୍ରୌପଦୀ ମୁର୍ମୁ ଓଡ଼ିଶାର ଝିଅ, ତାଙ୍କୁ ମାଟିର ଝିଅ କହି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ସହଯୋଗ ସମର୍ଥନ ଦେଇଛନ୍ତି। ତେବେ ମୁଁ ବିହାର ମାଟିର ପୁଅ ଏଇଠି ବଢ଼ିଛି, ପାଟନା ବିଶ୍ୱବିଦ୍ୟାଳୟରେ ପାଠ ପଢ଼ିଛି, ପ୍ରଶାସନିକ ଅଧିକାରୀ ଭାବରେ ବିହାର କ୍ୟାଡ଼ରରୁ ରାଜ୍ୟର ସେବା କରିଛି। ହେଲେ ନୀତିଶ କଣ ପାଇଁ ଜଣେ ବିହାରୀ କୁ ସମର୍ଥନ କରୁ ନାହାନ୍ତି।” ଏହା ପୂର୍ବରୁ ପ୍ରତିଭା ପାଟିଲଙ୍କୁ ରାଷ୍ଟ୍ରପତି ନିର୍ବାଚନରେ ଶିବସେନା ନିଜ ମାଟିର ଝିଅ ଦର୍ଶାଇ କଂଗ୍ରେସର ପ୍ରାର୍ଥୀ ହୋଇଥିଲେ ମଧ୍ୟ ତାଙ୍କୁ ସମର୍ଥନ ଦେଇଥିଲା। ହେଲେ ଜଣେ ବିହାର ମାଟିର ପୁଅକୁ ବିହାରର ମୁଖ୍ୟମନ୍ତ୍ରୀ ସମର୍ଥନ ନଦେବା ତାଙ୍କୁ ଆଶ୍ଚର୍ଯ୍ୟ କରିଛି ବୋଲି ଶ୍ରୀ ସିହ୍ନା କହିଛନ୍ତି। ଶେଷରେ ଶ୍ରୀ ସିହ୍ନା ନୀତିଶ ଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ବିହାରର ମୁଖ୍ୟମନ୍ତ୍ରୀ ବିହାରର ପୁଅକୁ ସମର୍ଥନ ନକରି ଜଣେ ରବର୍ ଷ୍ଟାମ୍ପ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ସମର୍ଥନ କରୁଛନ୍ତି।

ସୂଚନା ଅନୁସାରେ ଯଶୋବନ୍ତ ସିହ୍ନା ଆଗାମୀ ୧୮ ତାରିଖରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ନିଜ ପାଇଁ ପ୍ରଚାର କରିବାକୁ ବିହାର ଗସ୍ତରେ ଥିଲେ। ସେଠାରେ ବିରୋଧୀ ଦଳମାନଙ୍କ ସହ ବୈଠକ ପରେ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସିହ୍ନା ଏହା କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ତାଙ୍କ ସହ ବିହାର ବିଧାନସଭାର ବିରୋଧୀ ଦଳ ନେତା ତେଜସ୍ଵୀ ଯାଦବ ଓ ଅଭିନେତା ରୁ ନେତା ପାଲଟି ଥିବା ଶତ୍ରୁଘ୍ନ ସିହ୍ନା ମଧ୍ୟ ଉପସ୍ଥିତ ଥିଲେ।

Related Posts