ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ) : ରାଷ୍ଟ୍ରପତି ନିର୍ବାଚନ ପାଇଁ ସଂସଦ ଠୁ ଆରମ୍ଭ କରି ବିଧାନସଭା ସବୁଠି ଭୋଟ ଗ୍ରହଣ ଆରମ୍ଭ ହୋଇଛି। ନିର୍ଦ୍ଧାରିତ ସମୟ ସକାଳ ୧୦ଟା ପରଠାରୁ ଭୋଟଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ତେବେ ବିଧାନସଭାର ଭୋଟ ଦାନ କେନ୍ଦ୍ରରେ ମତଦାନ ସାବ୍ୟସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାପରେ ଅନ୍ୟ ବିଧାୟକ ମାନେ ମଧ୍ୟ ଭୋଟ ଦେଇଛନ୍ତି। ଏହି ମତଦାନ ପ୍ରକ୍ରିୟା ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ।
ତେବେ ବିଜୁ ଜନତା ଦଳର ସମସ୍ତ ବିଧାୟକ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେବାକୁ ଘୋଷଣା ହୋଇଥିବା ବେଳେ । ବିଜେପି ର ବିଧାୟକ ମାନେ ମଧ୍ୟ ଦ୍ରୌପଦୀଙ୍କୁ ଭୋଟ ଦେବେ। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବାରୁ ସେ ସେହିଠାରୁ ହିଁ ଭୋଟ ଦେବେ। ସେହିପରି ସ୍ଵାଧୀନ ବିଧାୟକ ମକରନ୍ଦ ମୁଦୁଲି ମଧ୍ୟ ଦ୍ରୌପଦୀଙ୍କ ପ୍ରତି ସମର୍ଥନ ଘୋଷଣା କରିଛନ୍ତି। ସେପଟେ କଂଗ୍ରେସ ବିଧାୟକ ମାନେ କିନ୍ତୁ ବିରୋଧୀ ଦଳ ପ୍ରାର୍ଥୀ ଯଶୋବନ୍ତ ସିହ୍ନାଙ୍କୁ ଭୋଟ ଦେବାକୁ ଘୋଷଣା କରିଛନ୍ତି। ବିଜୁ ଜନତା ଦଳ ପକ୍ଷରୁ କିପରି କୌଣସି ଭୋଟ ନାକଚ ନହେବ ଓ ସମସ୍ତ ଭୋଟ ଦ୍ରୌପଦୀଙ୍କୁ ଯିବ ସେନେଇ ବିଶେଷ ଧ୍ୟାନ ଦିଆଯାଇଛି। ସେପଟେ ଓଡ଼ିଶାର କୌଣସି ସାଂସଦ ବିଧାନସଭାରେ ଭୋଟ ଦେବାକୁ ଅନୁମତି ନେଇନାହାନ୍ତି। ସମସ୍ତ ସାଂସଦ ଦିଲ୍ଲୀରେ ସଂସଦ ଭବନରେ ହିଁ ମତଦାନ ସାବ୍ୟସ୍ତ କରିବେ।
ଉଲ୍ଲେଖଯୋଗ୍ୟ, ଓଡ଼ିଶାରେ ଜଣେ ବିଧାୟକ ଭୋଟ ମୂଲ୍ୟ ହେଉଛି ୧୪୯, ଓ ସାଂସଦଙ୍କ ଭୋଟ ମୂଲ୍ୟ ହେଉଛି ୭୦୦। ସମୁଦାୟ ବିଜେଡି ବିଧାୟକଙ୍କ ଭୋଟ ମୂଲ୍ୟ ୧୬୬୮୮, ବିଜେଡି ସାଂସଦଙ୍କ ମୂଲ୍ୟ ୧୪,୭୦୦। ବିଜେଡି ସମୁଦାୟ ଭୋଟ ମୂଲ୍ୟ ୩୧, ୪୮୮। ବିଜେପିର ୨୨ବିଧାୟକ ଥିବା ବେଳେ ସେମାନଙ୍କର ଭୋଟ ମୂଲ୍ୟ ୩୨୭୮, ଏବଂ ୯ ଜଣ ସାଂସଦଙ୍କ ଭୋଟ ମୂଲ୍ୟ ୬୩୦୦। ସମୁଦାୟ ଓଡ଼ିଶା ବିଜେପିର ଭୋଟ ମୂଲ୍ୟ ୯୫୭୮। କଂଗ୍ରେସର ୯ ଜଣ ବିଧାୟକ ଥିବାବେଳେ ସେମାନଙ୍କ ଭୋଟ ମୂଲ୍ୟ ୧୩୪୧ଏବଂ ଜଣେ ସାଂସଦଙ୍କ ଭୋଟ ମୂଲ୍ୟ ୭୦୦। ସମୁଦାୟ କଂଗ୍ରେସ ଭୋଟ ମୂଲ୍ୟ ହେଉଛି ୨୦୪୧।
