ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ଆସିବା ନେଇ ପ୍ରସ୍ତୁତି ଆରମ୍ଭ ହୋଇ ସାରିଛି । ସଂସଦ ଭବନ ପରିସରରେ ଦିନ ୧୧ଟା ରୁ ଭୋଟ୍ ଗଣତି ମଧ୍ୟ ଆରମ୍ଭ ହୋଇଯାଇଛି । ସଂସଦ ଭବନର ୬୩ ନମ୍ବର ପ୍ରକୋଷ୍ଠରେ ଭୋଟ୍ ଗଣତି ଚାଲିଛି । ଅପରାହ୍ନ ୪ଟା ସୁଦ୍ଧା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିବ ବୋଲି କୁହାଯାଉଛି ।

ସଂଖ୍ୟା ଗଣିତକୁ ଦେଖିଲେ କୌଣସି ପ୍ରାର୍ଥୀଙ୍କ ବିଜୟ ପାଇଁ ୫ ଲକ୍ଷ ୪୩ ହଜାର ୨୧୬ ମୂଲ୍ୟର ଭୋଟ ଆବଶ୍ୟକ । ଏନଡିଏ ପାଖରେ ୫ ଲକ୍ଷ ୩୩ ହଜାର ୭୫ ଭୋଟ୍ ଥିବା ଦାବି କରାଯାଉଛି । ବିପକ୍ଷ ପାଖରେ ରହିଛି ୩ ଲକ୍ଷ ୬୦ ହଜାର ୩୬୨ ଭୋଟ । ଏଥର ୪୦୩୩ ବିଧାୟକ ଓ ୭୭୬ ସାଂସଦ ଭୋଟ ଦେବାକୁ ଥିବାବେଳେ ମୋଟ୍ ୪୮୦୯ ଜଣଙ୍କ ମଧ୍ୟରୁ ୪୭୯୬ ଜଣ ଭୋଟ୍ ଦେଇଥିଲେ। ଚଳିତଥର ୯୯ .୧୮ ପ୍ରତିଶତ ମତଦାନ ହୋଇଛି।

ଓଡ଼ିଶାର ବିଜେଡି, ପଞ୍ଜାବର ଅକାଳୀ ଦଳ, ମାୟାବତୀଙ୍କ ବିଏସ୍ ପି ସହ ଟିଡିପି, ଶିବସେନାର ବିଧାୟକ ମାନେ ଦ୍ରୌପଦୀଙ୍କୁ ସମର୍ଥନ କରିଛନ୍ତି । ତେଣୁ ଭୋଟ୍ ଗଣିତକୁ ଦେଖିଲେ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ଏକପ୍ରକାର ନିଶ୍ଚିତ। କେବଳ ଔପଚାରିକ ଘୋଷଣାକୁ ଅପେକ୍ଷା କରାଯାଇଛି । ଏଥିପାଇଁ ଦ୍ରୌପଦୀ ଙ୍କ ଗାଁ ରାଇରଙ୍ଗପୁରରେ ବ୍ୟାପକ ଆୟୋଜନ ହୋଇଛି।