ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଜ୍ୟରେ ଟିକାକରଣ ପ୍ରକ୍ରିୟାକୁ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ନିଜର ମତ ରଖିଛନ୍ତି। ସେ କହିଛନ୍ତି, ଓଡ଼ିଶାରେ ଏବେ ତିନି ପ୍ରକାର ଟିକାକରଣ ପ୍ରକ୍ରିୟା ଜାରି ରହିଛି। ଆଜି ବିଭିନ୍ନ ଜିଲ୍ଲାରେ କୋଭିସିଲଡ ମାତ୍ର ୬୦ ହଜାର ଟିକା ଥିଲା। ଗତକାଲି ରାତିରେ କେନ୍ଦ୍ରରୁ ୩ ଲକ୍ଷ ଓ ଆଜି ସକାଳେ ୪.୮ ଲକ୍ଷ କୋଭିସିଲଡ ଟିକା ଆସି ପହଞ୍ଚିଛି।ବର୍ତ୍ତମାନ ରାଜ୍ୟରେ ପାଖରେ ୭ ଲକ୍ଷ ୮୦ ହଜାର ଟିକା ମହଜୁଦ ରହିଛି।ବିଭିନ୍ନ ଜିଲ୍ଲାରୁ ଆଜି ଭ୍ୟାକସିନ ଭ୍ୟାନ ଆସିଗଲାଣି। ଆଜି ରାତି ସୁଦ୍ଧା ସବୁ ଜିଲ୍ଲାରେ ଟିକା ପହଞ୍ଚିବ। ଫଳରେ ଆସନ୍ତାକାଲିଠାରୁ ସାରା ରାଜ୍ୟରେ ସ୍ୱାଭାବିକ ଟିକାକରଣ ହେବ। ସେହିପରି କର୍ବିଭାକ୍ସ ଟିକା ଯାହାକି ୧୨ ରୁ ୧୪ ବର୍ଷ ବର୍ଗଙ୍କୁ ଦିଆଯାଉଛି। ଏହାର ପ୍ରଥମ ଡୋଜ ୯୯.୮ ପ୍ରତିଶତ ନେଇ ସାରିଛନ୍ତି। ସେହିପରି ଦ୍ୱିତୀୟ ଡୋଜ ଟିକାକରଣ ମଧ୍ୟ ଚାଲିଛି। ଆଜି ୧୫୦୦ ସରକାରୀ କେନ୍ଦ୍ରରେ ଟିକାଦାନ ଚାଲିଛି। ଯେହେତୁ ଆଜି ଟିକା ଅଭାବ ଥିଲା, ତେଣୁ କମ୍ ସଂଖ୍ୟକ ଟିକାକରଣ କେନ୍ଦ୍ର ଖୋଲାଯାଇଛି। ଆସନ୍ତାକାଲିଠାରୁ ୨୫୦୦ରୁ ୩୦୦୦ କେନ୍ଦ୍ରରେ ଟିକା ଦିଆଯିବ।