ଭାରତରେ ନୂଆ କୋଭିଡ୍‌ ଭେରିଆଣ୍ଟ୍‌: ଆଜି ସ୍ଥିତିର ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ମୋଦି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଚୀନ୍‌ରେ ଦ୍ରୁତ ଗତିରେ ସଂକ୍ରମଣ କରାଉଥିବା ଓମିକ୍ରନ୍‌ ଭୂତାଣୁର ସବ୍‌-ଭେରିଆଣ୍ଟ୍‌ ‘ବିଏଫ୍‌.୭’ର ଚାରିଟି ମାମଲା ଭାରତରେ ଚିହ୍ନଟ ହୋଇଛନ୍ତି। ତେବେ ଏହି ଭେରିଆଣ୍ଟ୍‌ ଭାରତରେ ଚିହ୍ନଟ ହେବାପରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତତ୍ପର ହୋଇ ଉଠିଛି। ଏହାସହିତ ସମସ୍ତ ରାଜ୍ୟ ସରକାରଙ୍କୁ ମଧ୍ୟ ସତର୍କ ରହିବାକୁ ନିର୍ଦେଶ ଦିଆଯାଇଛି।ତେବେ ଏସବୁ ଭିତରେ ଆଜି ଅପରାହ୍ଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଉଚ୍ଚସ୍ତରୀୟ ବୈଠକରେ ଦେଶର କୋଭିଡ୍‌ ପରିସ୍ଥିତି ସମୀକ୍ଷା କରିବେ ବୋଲି ସୂଚନା ମିଳିଛି।

ତେବେ ବର୍ତମାନ ସୁଦ୍ଧା ଦେଶରେ ଚିହ୍ନଟ କରାଯାଇଥିବା ୪ଟି ‘ବିଏଫ୍‌.୭’ରୁ ମାମଲା ମଧ୍ୟରୁ ୨ଟି ମାମଲା ଗୁଜରାଟ ଓ ୨ଟି ଓଡ଼ିଶାରେ ଚିହ୍ନଟ ହୋଇଛି। ଏହି ମାମଲା ସବୁ ଜୁଲାଇ, ସେପ୍ଟେମ୍ବର ଏବଂ ନଭେମ୍ବର ମାସରେ ଚିହ୍ନଟ ହୋଇଥିବା ସୂଚନା ରହିଛି।

ସଦ୍ୟତମ ସୂଚନା ଅନୁସାରେ, ସମ୍ପ୍ରତି ଦେଶରେ ଥିବା ୧୦ଟି କୋଭିଡ୍‌ ଭେରିଆଣ୍ଟ୍‌ରୁ ‘ବିଏଫ୍‌.୭’ ହେଉଛି ନୂତନ। ଏହାଛଡ଼ା, ବୁଧବାର ଦିନ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମଣ୍ଡଭୀୟ ମଧ୍ୟ ଦେଶରେ କୋଭିଡ୍‌ ପରିସ୍ଥିତିର ସୀମକ୍ଷା କରି ଜନଗହଳି ସ୍ଥାନରେ ମାସ୍କ୍‌ ପିନ୍ଧିବା, ଟିକା ନେବା ଭଳି କୋଭିଡ୍‌ ନିୟମ ସବୁ ମାନିବାକୁ ଜନସାଧାଣଙ୍କୁ ପରାମର୍ଶ ଦେଇଥିଲେ।

ସେ ଆହୁରି ମଧ୍ୟ କହିଥିଲେ, କୋଭିଡ୍‌ର ଅବସାନ ଘଟିନାହିଁ। ସଜାଗ ରହିବା ଓ ସର୍ଭିଲାନ୍‌ସ୍ ସୁଦୃଢ଼ କରିବା ଲାଗି ମୁଁ ସମ୍ପୃକ୍ତ ଅଧିକାରୀମାନଙ୍କୁ କହିଛି। ଯେକୌଣସି ପରିସ୍ଥିତିର ମୁକାବିଲା କରିବା ଲାଗି ଆମେ ପ୍ରସ୍ତୁତ ଅଛୁ। ଏଥିପାଇଁ, ଭୟ କରିବାର କୌଣସି କାରଣ ନାହିଁ।

ଅନ୍ୟପଟେ ଚୀନ୍‌ରେ କଠୋର ଭାବେ ଲାଗୁ କରାଯାଇଥିବା ‘ଜିରୋ-କୋଭିଡ୍‌’ କଟକଣା କୋହଳ କରାଯିବା ପରେ ସେଠାରେ କୋଭିଡ୍‌ ସଂକ୍ରମଣ ମାମଲା ଅତି ଦ୍ରୁତ ଗତିରେ ବ୍ୟାପି ଚାଲିଛି।

Related Posts