ଭୁବନେଶ୍ବର: ରାଜ୍ୟରେ ପୁଣି ଥରେ କରୋନା ସଂକ୍ରମଣ ମୁଣ୍ଡ ଟେକିଛି । ବଢ଼ିଛି ସଂକ୍ରମିତଙ୍କ ସଂଖ୍ୟା । ଦୈନିକ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ, ଜୋର ଦାର ହୋଇଛି ଟୀକାକରଣ ପକ୍ରିୟା । ଏହାକୁ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି, ଓଡ଼ିଶାରେ ଏବେ ତିନି ପ୍ରକାର ଟିକାକରଣ ପ୍ରକ୍ରିୟା ଜାରି ରହିଛି। ବିଭିନ୍ନ ଜିଲାରେ କୋଭିସିଲ୍ଡର ମାତ୍ର ୬୦ ହଜାର ଟିକା ଥିଲା। ବୁଧବାର ରାତିରେ କେନ୍ଦ୍ରକୁ ୩ ଲକ୍ଷ ଓ ଗୁରୁବାର ସକାଳେ ୪.୮ ଲକ୍ଷ କୋଭିସିଲ୍ଡ ଟିକା ଆସି ପହଞ୍ଚିଛି। ବର୍ତ୍ତମାନ ରାଜ୍ୟରେ ୭ ଲକ୍ଷ ୮୦ ହଜାର ଟିକା ମହଜୁଦ ରହିଛି ।
ସେପଟେ ବିଭିନ୍ନ ଜିଲାରୁ ଟିକା ଭ୍ୟାନ ଆସିଗଲାଣି। ରାତି ସୁଦ୍ଧା ସବୁ ଜିଲାରେ ଟିକା ପହଞ୍ଚିବ। ଫଳରେ ଶୁକ୍ରବାରଠାରୁ ସାରା ରାଜ୍ୟରେ ସ୍ବାଭାବିକ ଟିକାକରଣ ହେବ। ସେହିପରି କର୍ବିଭାକ୍ସ ଟିକା ଯାହାକି ୧୪ ବର୍ଷ ବର୍ଗଙ୍କୁ ଦିଆଯାଉଛି। ଏହାର ପ୍ରଥମ ଡୋଜ ୯୯.୮ ପ୍ରତିଶତ ନେଇ ସାରିଛନ୍ତି। ସେହିପରି ଦ୍ୱିତୀୟ ଡୋଜ ଟିକାକରଣ ମଧ୍ୟ ଚାଲିଛି। ୧୫୦୦ ସରକାରୀ କେନ୍ଦ୍ରରେ ଟିକାଦାନ ଚାଲିଛି। ଟିକା କମ୍ ଥିବାରୁ କମ ଟିକାକରଣ କେନ୍ଦ୍ର ଖୋଲାଯାଇଥିଲା। ଶୁକ୍ରବାରଠାରୁ ୨୫୦୦ରୁ ୩ ହଜାର କେନ୍ଦ୍ରରେ ଟିକା ଦିଆଯିବ ବୋଲି ସେ କହିଛନ୍ତି।





