ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦେଶର ପଞ୍ଚଦଶ ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ଦ୍ରୌପଦୀ ମୁର୍ମୁ। ସେ ବିରୋଧୀ ମେଣ୍ଟର ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ନିର୍ବାଚନ ରେ ହରାଇଛନ୍ତି। ଦ୍ରୌପଦୀ ମୁର୍ମୁଙ୍କୁ ମୋଟ ୨୮୨୪ ଜଣ ସାଂସଦ ଓ ବିଧାୟକଙ୍କ ଭୋଟ ମିଳିଛି। ଏହାର ଭୋଟ ମୂଲ୍ୟ ୬,୭୬,୮୦୩। ରାଷ୍ଟ୍ରପତି ଭାବେ ନିର୍ବାଚନ ଜିତିବା ପାଇଁ ଜଣେ ପ୍ରାର୍ଥୀଙ୍କ ଭୋଟ ମୂଲ୍ୟ ୫,୨୮, ୪୯୧ ହେବାର ଆବଶ୍ୟକ ଥିଲା। ହେଲେ ଦ୍ରୌପଦୀ ମୁର୍ମୁଙ୍କ ଭୋଟ ମୂଲ୍ୟ ୬ ଲକ୍ଷରୁ ଅଧିକ।ସେହିପରି ଯଶୱନ୍ତ ସିହ୍ନା ୧୮୭୭ ଖଣ୍ଡ ଭୋଟ ପାଇଛନ୍ତି। ଏହାର ମୂଲ୍ୟ ୩,୮୦,୧୭୭। ଦ୍ରୌପଦୀଙ୍କ ଭୋଟ ମୂଲ୍ୟ ଯଶୱନ୍ତଙ୍କ ଠାରୁ ଅଧିକ ଥିବାରୁ ରିଟର୍ଣ୍ଣିଂ ଅଫିସର ପିସି ମୋଡୀ ରାତି ପ୍ରାୟ ୯.୪୦ରେ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ନିର୍ବାଚନରେ ବିଜେତା ଘୋଷଣା କରିଛନ୍ତି। ରିଟର୍ଣ୍ଣିଂ ଅଫିସରଙ୍କ ସୂଚନା ଅନୁସାରେ, ୪୭୫୪ ଭୋଟ ରାଷ୍ଟ୍ରପତି ନିର୍ବାଚନରେ ପଡ଼ିଥିଲା। ଏହା ମଧ୍ୟରୁ ୪୭୦୧ ବୈଧ ଭୋଟ ହୋଇଥିବା ବେଳେ ୫୩ ଖଣ୍ଡ ଭୋଟ ନାକଚ ହୋଇ ଯାଇଛି। ଏହା ମଧ୍ୟରେ ୧୫ ଜଣ ସାଂସଦଙ୍କ ଭୋଟ ମଧ୍ୟ ରହିଛି।ତେବେ କେଉଁ ରାଜ୍ୟରେ ଉଭୟ ଦ୍ରୌପଦୀ ଓ ଯଶୱନ୍ତଙ୍କୁ କେତେ ଭୋଟ ମିଳିଛି, ତା’ର ଚିତ୍ର ମଧ୍ୟ ସାମ୍ନାକୁ ଆସିଛି।

ନିର୍ବାଚନ ଜିତିଥିବା ମୁର୍ମୁଙ୍କୁ ଦେଶର ସବୁ ରାଜ୍ୟରୁ ଭୋଟ ମିଳିଛି। ହେଲେ ଯଶୱନ୍ତ ସିହ୍ନାଙ୍କୁ ଆନ୍ଧ୍ର ପ୍ରଦେଶ, ସିକ୍କିମ ଓ ନାଗାଲ୍ୟାଣ୍ଡରୁ ଗୋଟିଏ ହେଲେ ବି ଭୋଟ ମିଳିନି। ଆନ୍ଧ୍ରର ୧୭୫ ଜଣ ବିଧାୟକଙ୍କ ମଧ୍ୟରୁ ୧୭୩ ଜଣ ଭୋଟ ଦେଇଥିଲେ। ସମସ୍ତ ୧୭୩ ଜଣ ବିଧାୟକଙ୍କ ଭୋଟ ବୈଧ ଥିବା ବେଳେ ସବୁତକ ଭୋଟ ଦ୍ରୌପଦୀ ମୁର୍ମୁଙ୍କ ସପକ୍ଷରେ ଯାଇଛି। ନାଗାଲ୍ୟାଣ୍ଡର ୬୦ ଜଣ ବିଧାୟକଙ୍କ ମଧ୍ୟରୁ ୫୯ ଜଣ ଭୋଟ ଦେଇଥିଲେ। ସମସ୍ତ ୫୯ ଜଣ ବିଧାୟକ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିଛନ୍ତି। ସିକ୍କିମର ୩୨ ଜଣ ବିଧାୟକ ମଧ୍ୟ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିଛନ୍ତି।

ଆଶା କରାଯାଉଥିଲା ଯେ ଦ୍ରୌପଦୀ କେରଳରୁ ଗୋଟିଏ ହେଲେ ଭୋଟ ପାଇବେ ନାହିଁ କାରଣ ସେଠାରେ ବିଜେପି କିମ୍ବା ଏହାର ସହଯୋଗୀ ଦଳର କୌଣସି ବିଧାୟକ ନାହାନ୍ତି। ହେଲେ ସେପରି ହୋଇନାହିଁ ଶ୍ରୀମତୀ ମୁର୍ମୁ କେରଳରୁ ମାତ୍ର ଗୋଟିଏ ଭୋଟ ପାଇଥିବା ବେଳେ ତେଲେଙ୍ଗାନାରୁ ୩, ଦିଲ୍ଲୀରୁ ୮ ଓ ପଞ୍ଜାବରୁ ୮ଟି ଭୋଟ ପାଇଛନ୍ତି।

ଅନ୍ୟପକ୍ଷରେ ଓଡ଼ିଶାର ୧୪୭ ଜଣ ବିଧାୟକଙ୍କ ମଧ୍ୟରୁ ୧୪୬ ଜଣ ଭୋଟ ଦେଇଥିଲେ। ଜେଲରେ ଥିବା ପ୍ରଶାନ୍ତ ଜବଦେବ ଭୋଟ ଦେଇ ନଥିଲେ।ଓଡ଼ିଶା ବିଧାୟକଙ୍କ ଭୋଟ ମୂଲ୍ୟ ହେଉଛି ୧୪୯। ୧୪୬ ଜଣଙ୍କ ମଧ୍ୟରୁ ୧୩୭ ଜଣ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇଥିବା ବେଳେ ୯ ଜଣ ଯଶୱନ୍ତ ସିହ୍ନାଙ୍କୁ ଭୋଟ ଦେଇଛନ୍ତି। କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ପାର୍ଟି ନିର୍ଦ୍ଦେଶରୁ ବାହାରି ମୁର୍ମୁଙ୍କୁ ଭୋଟ ଦେଇଥିବା ଘୋଷଣା କରିଥିଲେ। ଏହା ପରେ ଦଳ ପାଖରେ ୮ ଜଣ ବିଧାୟକ ରହିଥିଲେ। କଂଗ୍ରେସର ସମସ୍ତ ୮ ବିଧାୟକଙ୍କ ସମେତ ସିପିଆଇଏମ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଯଶୱନ୍ତ ସିହ୍ନାଙ୍କୁ ଭୋଟ ଦେଇଛନ୍ତି। ସେହିପରି ବିଜେପିର ୨୨ ଜଣ ବିଧାୟକ, ସ୍ୱାଧୀନ ବିଧାୟକ ମକରନ୍ଦ ମୁଦୁଲି, ବିଜେଡିରୁ ବହିଷ୍କୃତ ହୋଇଥିବା ପ୍ରଦୀପ ପାଣିଗ୍ରାହୀ ଓ ବିଜେଡିର ୧୧୨ ଜଣ ବିଧାୟକ ରାଷ୍ଟ୍ରପତି ନିର୍ବାଚନରେ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିଛନ୍ତି। ଓଡ଼ିଶାରୁ ଦ୍ରୌପଦୀ ମୁର୍ମୁ ମିଳିଥିବା ଭୋଟର ମୂଲ୍ୟ ହେଉଛି ୨୦,୪୧୩। ସେହିପରି ଯଶୱନ୍ତ ସିହ୍ନାଙ୍କ ଭୋଟ ମୂଲ୍ୟ ୧୩୪୧ ରହିଛି।