ଘରୋଇ ୱେଷ୍ଟ ଇଣ୍ଡିଜ ଓ ଭାରତ ମଧ୍ୟରେ ଆଜି ପ୍ରଥମ ଟି-ଟ୍ୱେଣ୍ଟି ମ୍ୟାଚ୍‌

ନୂଆଦିଲ୍ଲୀ: ଆଜି ଘରୋଇ ୱେଷ୍ଟ ଇଣ୍ଡିଜ ଓ ଭାରତ ମଧ୍ୟରେ ଖେଳାଯିବ ଟି-ଟ୍ୱେଣ୍ଟି ମ୍ୟାଚ୍‌ । ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଟି-ଟ୍ୱେଣ୍ଟି ଦଳ ମଇଦାନ କୁ ଓହ୍ଲାଇବେ । ଇତି ମଧ୍ୟରେ ୱେଷ୍ଟ ଇଣ୍ଡିଜ୍‌ରେ ପହଞ୍ଚି ଅଭ୍ୟାସ ଆରମ୍ଭ କରିଦେଇଛି ଟିମ୍ ଇଣ୍ଡିଆ ।

ଏହି ୫ ମ୍ୟାଚ୍‌ ବିଶିଷ୍ଟ ସିରିଜରେ ଷ୍ଟାର୍‌ ବ୍ୟାଟର ବିରାଟ କୋହଲି, ପେସ୍‌ ବୋଲର ଜଶପ୍ରୀତ ବୁମରା, ୟୁଝବେନ୍ଦ୍ର ଚହଲଙ୍କୁ ଦେଖିବାକୁ ମିଳିବ ନାହିଁ । କୋହଲି ଓ ବୁମରାଙ୍କୁ ସମ୍ପୂର୍ଣ୍ଣ ୱେଷ୍ଟ ଇଣ୍ଡିଜ୍‌ ଗସ୍ତରୁ ବାଦ ଦିଆଯାଇଛି । ଚହଲ କେବଳ ଦିନିକିଆ ଦଳରେ ସାମିଲ ଥିଲେ । ସ୍ପୋର୍ଟ୍ସ ହାର୍ନିଆର ସଫଳ ଅସ୍ତ୍ରୋପଚାର ପରେ ଲୋକେଶ ରାହୁଲ ଫିଟ୍‌ ହୋଇ ଟି-ଟ୍ୱେଣ୍ଟି ଦଳରେ ସ୍ଥାନ ପାଇଥିଲେ । ହେଲେ ୱେଷ୍ଟ ଇଣ୍ଡିଜ୍‌ ଗସ୍ତ କରିବା ପୂର୍ବରୁ କରୋନା ସଂକ୍ରମିତ ହୋଇ ବାଦ ପଡ଼ିଛନ୍ତି ।

ଭାରତର ଯୁବ ଖେଳାଳିମାନଙ୍କ ପ୍ରଦର୍ଶନ ବେଶ୍‌ ପ୍ରଭାବଶାଳୀ ରହିଛି । ତେଣୁ କୋହଲି, ବୁମରା ଓ ରାହୁଲଙ୍କ ଅନୁପସ୍ଥିତି ଅନୁଭବ ହେବ ନାହିଁ। ଚହଲଙ୍କ ସ୍ଥାନ ପୂରଣ କରିବା ପାଇଁ ଭେଟେରାନ ସ୍ପିନର ରବି ଚନ୍ଦ୍ରନ ଅଶ୍ୱିନ ଓ କୁଲଦୀପ ଯାଦବ ଦଳରେ ରହିଛନ୍ତି ।

ଆଜି ଭାରତ ଶ୍ରେଷ୍ଠ ଦଳ ନେଇ ଗ୍ରାଉଣ୍ଡକୁ ଓହ୍ଲାଇବ । ରୋହିତଙ୍କ ସହ ରିଷଭ ପନ୍ତଙ୍କୁ ପାଳି ଆରମ୍ଭ କରିବାକୁ ସୁଯୋଗ ମିଳିବା ଆଶା କରାଯାଉଛି । ମଧ୍ୟ ଭାଗରେ ଶ୍ରେୟାସ ଆୟର, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡ଼ା, ଦିନେଶ କାର୍ତ୍ତିକ ଓ ହାର୍ଦ୍ଦିକ ପାଣ୍ଡ୍ୟା ରହିଛନ୍ତି ।

ଦିନିକିଆ ସିରିଜ ପରାଜିତ ହୋଇଥିଲେ ହେଁ ୱେଷ୍ଟ ଇଣ୍ଡିଜ୍‌ ଟି-ଟ୍ୱେଣ୍ଟି ଫର୍ମାଟ୍‌ରେ ବେଶ୍‌ ଶକ୍ତିଶାଳୀ । ଦଳରେ ଏକାଧିକ ଅଲ୍‌ରାଉଣ୍ଡର ରହିଛନ୍ତି । ଏକାଧିକ ବ୍ୟାଟର ବିଶାଳ ସଟ୍‌ମାନ ଖେଳିବାରେ ସିଦ୍ଧହସ୍ତ । ନିକୋଲାସ ପୂରନ ଓ କେଲି ମେୟର୍ସଙ୍କ ଭଳି ବ୍ୟାଟର ଫର୍ମରେ ରହିଛନ୍ତି । ସାଇ ହୋପ୍‌ ଫର୍ମ ଫେରିପାଇଛନ୍ତି । ଗତ ସିରିଜରେ ୱେଷ୍ଟ ଇଣ୍ଡିଜ୍‌ ୨-୧ରେ ବାଂଲାଦେଶକୁ ହରାଇଥିଲା । ଏହି ସଫଳତାକୁ ଭାରତ ବିପକ୍ଷରେ ଉପଯୋଗ କରିବାକୁ ଘରୋଇ ଦଳ ପ୍ରୟାସ କରିବ ।

ଗତ ଫେବ୍ରୁଆରୀ ମାସରେ ୱେଷ୍ଟ ଇଣ୍ଡିଜ୍‌ ଦଳ ଭାରତ ଗସ୍ତରେ ଆସି ୦-୩ରେ ଟି[1]ଟ୍ୱେଣ୍ଟି ସିରିଜ ପରାଜିତ ହୋଇଥିଲା । ଏଥର ୱେଷ୍ଟ ଇଣ୍ଡିଜ୍‌ ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ ପ୍ରୟାସ କରିବ । ଟିମ୍ ଇଣ୍ଡିଆ ପୂର୍ବପରି ନିଜ ବିଜୟ ଧାରା କୁ ଜାରୀ ରଖିବା ପାଇଁ ପ୍ରୟାସ କରିବ।

Related Posts