ନୂଆଦିଲ୍ଲୀ : ରାଷ୍ଟ୍ରପତି ଙ୍କୁ ନେଇ ବିବାଦୀୟ ବୟାନ ଦେଇଥିବା କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀଙ୍କ ପାଇଁ ବଢୁଛି ଅଡୁଆ । ଦିନ ତମାମ ରାଜନୀତି ସରଗରମ ରହିବା ସହ ବିଜେପି ନେତା ତଥା ମନ୍ତ୍ରୀ ଓମପ୍ରକାଶ ଧୁର୍ବେ ଡିଣ୍ଡୋରୀ ଥାନାରେ ଅଧିରଙ୍କ ବିରୋଧରେ ଏଫଆଇଆର ଦାଖଲ କରିଛନ୍ତି ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବିରୋଧରେସେ କହିଥିବା ଅଶୋଭନୀୟ ମନ୍ତବ୍ୟ ନେଇ ଏହି ଏଫଆଇଆର ଦାଖଲ ହୋଇଛି ।

ଘଟଣାକୁ ନେଇ ଧୁର୍ବେ ମଧ୍ୟପ୍ରଦେଶ ମନ୍ତ୍ରୀ ବିନୋଦ ଗୋଟିୟା ଓ ଅନ୍ୟ ବିଜେପି ନେତାଙ୍କୁ ଧରି ଥାନାରେ ପହଁଚି ଥିଲେ । ଏହାପରେ ଏଫଆଇଆର ଦେଇଥିଲେ । ଧୁର୍ବେ କହିଛନ୍ତି ଯେ, ସେ ଜଣେ ଆଦିବାସୀ । ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଅଧିର ରଞ୍ଜନ ଯାହା କହିଛନ୍ତି ତାହା ତାଙ୍କୁ ଆହତ କରିଛି । ଏହି ବୟାନ ବିରୋଧରେ ସେ ଡିଣ୍ଡୋରୀ ଥାନାରେ ୧୫୩(୨), ୫୦୫(ଏ) ଆଧାରରେ ଏଫଆଇଆର ଦାଖଲ କରିଛନ୍ତି ।

ସେ ଆହୁରି କହିଛନ୍ତି ଯେ, ଅଧିର ରଞ୍ଜନ ଆଦିବାସୀ ସମାଜକୁ କ୍ଷତି ପହଁଚାଇଛନ୍ତି । ଏହାସହ ସେ କଡା କାର୍ଯ୍ୟାନୁଷ୍ଠାନ ଦାବି ମଧ୍ୟ କରିଛନ୍ତି ।

ସୂଚନାଯୋଗ୍ୟ, ଅଧିର ରଞ୍ଜନ ରାଷ୍ଟ୍ରପତି ଦ୍ରୈପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତ୍ନୀ କହିଥିଲେ । ଯାହାକୁ ନେଇ ବିଜେପି କଂଗ୍ରେସକୁ ଟାର୍ଗେଟ୍ କରିଥିଲା । ପରେ ଅଧିର ରଞ୍ଜନ ଭୁଲରେ ପାଟିରୁ ବାହାରି ଯାଇଥିବା ସଫେଇ ଦେଇଥିଲେ । ଏପରିକି ସେ ରାଷ୍ଟ୍ରପତି ଙ୍କୁ ଭେଟି ଭୁଲ୍ ମାଗିବା ନେଇ କହିଥିଲେ ।