ନୂଆଦିଲ୍ଲୀ : ଆଇଆଇଟି ବମ୍ବେରେ ଫି ବୃଦ୍ଧି ବିରୋଧ । ଏନେଇ ଆନ୍ଦୋଳନ କରିବେ ଛାତ୍ରଛାତ୍ରୀ । ଅନଶନ କରିବା ନେଇ ଧମକ ଦେଇଛନ୍ତି ଛାତ୍ରଛାତ୍ରୀ । ଫି ବୃଦ୍ଧି ନିଷ୍ପତ୍ତି ପ୍ରତ୍ୟାହାର ନକଲେ ଆସନ୍ତା ୬ ତାରିଖରୁ ଅନଶନ କରାଯିବ ବୋଲି ପିଏଚଡି ଓ ଏମଟେକ୍ ଛାତ୍ରଛାତ୍ରୀ ଚେତାବନୀ ଦେଇଛନ୍ତି ।

ଛାତ୍ରଛାତ୍ରୀଙ୍କ କହିବାନୁସାରେ, ପୂର୍ବ ବର୍ଷ ଅପେକ୍ଷା ୩୫ ପ୍ରତିଶତ ଫି ବୃଦ୍ଧି ହୋଇଛି । ଏଥିପାଇଁ ପୂର୍ବରୁ କୌଣସି ସୂଚନା ଦିଆଯାଇନଥିଲା । ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ତୁରନ୍ତ ଫି ବୃଦ୍ଧି ନିଷ୍ପତ୍ତି ପ୍ରତ୍ୟାହାର କରନ୍ତୁ । କିଛି କିଛି କୋର୍ସରେ ୪୦ରୁ ୪୫ ପ୍ରତିଶତ ଯାଏଁ ଫି ବୃଦ୍ଧି କରାଯାଇଛି । କରୋନା ଅନେକ ପରିବାରର ଆର୍ଥିକ ସ୍ଥିତି ବିଗାଡି ଦେଇଛି । ଅନେକ ଛାତ୍ରଛାତ୍ରୀ ନିଜ ଷ୍ଟାଇପେଣ୍ଡ୍ ଟଙ୍କାରୁ ପରିବାର ଚଳାଇବା ସହ ଫି ପ୍ରଦାନ କରୁଛନ୍ତି । ଏପରି ସ୍ଥିତିରେ ଫି ବୃଦ୍ଧି ଠିକ୍ ନୁହେଁ । ଏହାସହ କଲେଜ ବାବଦରେ କୌଣସି ନିଷ୍ପତ୍ତି ନେବା ସମୟରେ ଛାତ୍ର ପ୍ରତିନିଧିଙ୍କ ସହ ଆଲୋଚନା କରାଯାଉ ବୋଲି ସଙ୍ଗଠନ କହିଛି ।

ତେବେ ଏହି ବିରୋଧ ପ୍ରଦର୍ଶନ ସେତେବେଳେ ହୋଇଥିଲା ଯେତେବେଳେ ଗତ ଜୁଲାଇରେ ଶିକ୍ଷାନୁଷ୍ଠାନ କର୍ତ୍ତ୍ତୃପକ୍ଷ ପିଜି କୋର୍ସ ଫି ବୃଦ୍ଧି କରିଥିଲେ । ପ୍ରଶାସନ କହିଥିଲା ଯେ, ବୋର୍ଡ ଅଫ୍ ଗଭର୍ଣ୍ଣାନ୍ସ ଫି ବୃଦ୍ଧି ନିଷ୍ପତ୍ତିକୁ ତିନି ବର୍ଷ ପୂର୍ବରୁ ମଞ୍ଜୁରୀ ଦେଇଥିଲେ । କିନ୍ତୁ କରୋନା ମହାମାରୀ କାରଣରୁ ଏହାକୁ ଲାଗୁ କରାଯାଇ ନଥିଲା ।

ଆହୁରି ମଧ୍ୟ କଲେଜ ପ୍ରଶାସନର କହିବାନୁସାରେ, ଛାତ୍ରଛାତ୍ରୀମାନେ ଫି ବୃଦ୍ଧିକୁ ନେଇ ଭୁଲ ବୁଝିଛନ୍ତି । ପୂର୍ବରୁ ଏହି ନିଷ୍ପତ୍ତି ପ୍ରତ୍ୟାହାର ହେବନି ବୋଲି ସ୍ପଷ୍ଟ ଭାବେ କୁହାଯାଇଛି । ତେବେ ପ୍ରଶାସନର ଏହି ସ୍ପଷ୍ଟ ଘୋଷଣାନାମା ପରେ ଛାତ୍ରଛାତ୍ରୀ ବିରୋଧ ପ୍ରଦର୍ଶନକୁ ଜୋରଦାର କରିବା ସହ ଅନଶନ ଧମକ ଦେଇଛନ୍ତି।