ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବିଧାନସଭାରେ ଉଠିଲା ବିଧାୟକମାନଙ୍କ ଦରମା ବୃଦ୍ଧି ପ୍ରସଙ୍ଗ । ଶୂନ୍ୟକାଳରେ ଏହି ପ୍ରସଙ୍ଗ ବିଜେପି,କଂଗ୍ରେସ ଓ ବିଜେଡିର ବିଧାୟକ ମାନେ ଉଠାଇଛନ୍ତି । ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝୀ ଆଜି ଏହି ପ୍ରସଙ୍ଗ ଉଠାଇ କହିଛନ୍ତି, ଶେଷ ଥର ପାଇଁ ୧୩.୯.୨୦୧୭ ତାରିଖରେ ବିଧାୟକ ମାନଙ୍କ ଗସ୍ତ ଖର୍ଚ୍ଚ ଓ ଦରମା ବଢିଥିଲା ।ଆଉ ଏବେ ସବୁ ରେଟ୍ ବି ବଢିଛି ତେଣୁ ବିଧାୟକ ମାନଙ୍କ ଦରମା ଓ ଗସ୍ତ ଖର୍ଚ୍ଚ ବଢ଼ାଇବାକୁ ସେ ଦାବି କରିଛନ୍ତି ।ଅନ୍ୟ ରାଜ୍ୟର ବିଧାୟକ ମାନେ ଅଧିକ ଟଙ୍କା ଦରମା ପାଉଥିବା ବେଳେ ଆମ ରାଜ୍ୟରେ ତାହା ବହୁତ କମ୍ ରହିଛି । ଓଡ଼ିଶାରେ ବିଧାୟକମାନଙ୍କ ଦରମା ଓ ଗସ୍ତ ଖର୍ଚ୍ଚକୁ ମିଶାଇ ମୋଟ ୯୯ ହଜାର ୮୦୦ ଟଙ୍କା ରହିଛି ତେଣୁ ତାକୁ ବଢାଯାଉ ବୋଲି ବିଧାୟକ ଦାବି କରିଛନ୍ତି ।
ସେହିପରି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ମଧ୍ୟ ଦରମା ବଢ଼ାଇବାକୁ ଦାବି କରିଛନ୍ତି । ସେ କହିଛନ୍ତି , ବିଧାୟକମାନେ ଅନେକ ସାମାଜିକ କାର୍ୟ୍ୟକ୍ରମକୁ ଯାଉଛନ୍ତି ତେଣୁ ଖର୍ଚ୍ଚ ବଢୁଛି । ଏହାସହ ପୂର୍ବତନ ବିଧାୟକମାନେ ପେନସନ ମାତ୍ର ୩୦ ହଜାର ପାଉଛନ୍ତି ତେଣୁ ଉଭୟ ପୂର୍ବତନ ବିଧାୟକଙ୍କ ପେନସନ ଏବଂ ବିଧାୟକ ମାନଙ୍କ ଦରମା ବଢ଼ାଇବାକୁ ଦାବି କରିଛନ୍ତି ତାରା ।
ସେପଟେ ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ ମଧ୍ୟ ବିଧାୟକଙ୍କ ଦରମା, ପେନସନ ଏବଂ ମେଡ଼ିକାଲ ଆଲାଉନସ୍ ବଢ଼ାଇବାକୁ ଦାବି କରିଛନ୍ତି । ସ୍ଵାଧୀନ ବିଧାୟକ ମକରନ୍ଦ ମୁଦୁଲି ମଧ୍ୟ ବିଧାୟକ ମାନଙ୍କ ଦରମା ବଢ଼ାଇବାକୁ ଆଜି ବିଧାନସଭାରେ ଦାବି କରିଛନ୍ତି ।





